Uncategorized
ଦେବୀ ନଦୀ ପୋଲରୁ ଡେଇଁ ଯୁବକ ନିଖୋଜ; ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି


ଭୁବନେଶ୍ବର: ଦେବୀ ନଦୀ ପୋଲ ଉପରେ ସ୍କୁଟି ରଖି ଜଣେ ଯୁବକ ନଦୀକୁ ଡେଇଁପଡ଼ିଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଶିଖରଘାଟ ନିକଟରେ ଏହି ଘଟଣା ଘଟିଛି। ନିଖୋଜ ଯୁବକ ଜଣକ ହେଉଛନ୍ତି ତିହୁଡ଼ା ଗ୍ରାମର ଶିଖର ପାଢ଼ୀଙ୍କ ୨୨ ବର୍ଷୀୟ ପୁଅ ଶୈଲେଶ ପାଢ଼ୀ। ସୂଚନା ଅନୁସାରେ, ଆଜି ଭୋର ସମୟରେ ଶୈଲେଶ ନିଜ ସ୍କୁଟି ଯୋଗେ ଶିଖରଘାଟ ପୋଲ ନିକଟକୁ ଆସିଥିଲେ। କିଛି ସମୟ ପରେ ସେ ପୋଲ ଉପରେ ସ୍କୁଟି ଛିଡ଼ା କରି ନଦୀକୁ ଡେଇଁପଡ଼ିଥିଲେ। ପୋଲ ଉପରେ ଦୀର୍ଘସମୟ ଧରି ନିଶ୍ଚଳ ଭାବେ ସ୍କୁଟି ରହିଥିବା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ଆଖପାଖରେ ଖୋଜାଖୋଜି କରିବା ପରେ ଯୁବକଙ୍କ ପତ୍ତା ନମିଳିବାରୁ ସେମାନେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ନାଉଗାଁ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି। ନଦୀର ସ୍ରୋତ ଅଧିକ ଥିବାରୁ ସନ୍ଧାନ କାର୍ଯ୍ୟରେ ଜଟିଳତା ସୃଷ୍ଟି ହୋଇଛି।



