ପୁଣି ଆଉ ଏକ ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା : ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ


ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ କଡ଼ା ସତର୍କ ସୂଚନା ଜାରି କରାଯାଇଛି। କେତେକ ଜିଲ୍ଲା ପାଇଁ ସତର୍କତା: ପାଣିପାଗ ବିଭାଗ ପକ୍ଷରୁ କେତେକ ଜିଲ୍ଲା ପାଇଁ ୟେଲୋ ଏବଂ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସହ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସମ୍ଭାବ୍ୟ ସ୍ଥିତିକୁ ଆଖିଆଗରେ ରଖି ତଳିଆ ଅଞ୍ଚଳଗୁଡ଼ିକରେ ନଜର ରଖିବାକୁ ଜିଲ୍ଲା ପ୍ରଶାସନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳ, ମତ୍ସ୍ୟଜୀବୀ ଏବଂ ବର୍ଷାପ୍ରବଣ ଅଞ୍ଚଳର ଲୋକେ ସତର୍କ ରହିବା ଆବଶ୍ୟକ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଏବେ ଏହାର ପରବର୍ତ୍ତୀ ଗତିବିଧି ଉପରେ ସମସ୍ତଙ୍କ ନଜର ରହିଛି।



