ସେପ୍ଟେମ୍ବର ୧ରୁ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଲାଗୁ ହେବ ନୂଆ ନିୟମ


ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ୨୦୨୬ ସେପ୍ଟେମ୍ବର ୧ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଦେଶର କୌଣସି ବି ଅନ୍ତର୍ଜାତୀୟ ବିମାନବନ୍ଦରରେ ଇମିଗ୍ରେସନ୍ କ୍ଲିୟରାନ୍ସ ପାଇଁ ଯାତ୍ରୀଙ୍କୁ ଆଉ କାଗଜ (ଫିଜିକାଲ) ବୋର୍ଡିଂ ପାସ୍ ଦେଖାଇବାକୁ ପଡ଼ିବ ନାହିଁ କିମ୍ବା ସେଥିରେ ଇମିଗ୍ରେସନ୍ ଷ୍ଟାମ୍ପ୍ ପକାଇବାକୁ ହେବ ନାହିଁ। ଏହା ବଦଳରେ ଯାତ୍ରୀମାନେ ନିଜ ମୋବାଇଲ୍ ଫୋନ୍ରେ ଇ-ବୋର୍ଡିଂ ପାସ୍ ଦେଖାଇ ଇମିଗ୍ରେସନ୍ ପ୍ରକ୍ରିୟା ଶେଷ କରିପାରିବେ। ନୂତନ ବ୍ୟବସ୍ଥା ଅନୁଯାୟୀ, ଯାତ୍ରୀମାନେ ମୋବାଇଲ୍ରେ ଥିବା ଇ-ବୋର୍ଡିଂ ପାସ୍ ଦେଖାଇ ଇମିଗ୍ରେସନ୍ କାଉଣ୍ଟରରୁ ସହଜରେ କ୍ଲିୟରାନ୍ସ ପାଇପାରିବେ। ଏଣିକି ବୋର୍ଡିଂ ପାସ୍ର କାଗଜ କପି ସାଙ୍ଗରେ ରଖିବା କିମ୍ବା ସେଥିରେ ଷ୍ଟାମ୍ପ୍ ଲଗାଇବା ଆବଶ୍ୟକ ହେବ ନାହିଁ। ଇମିଗ୍ରେସନ୍ ପ୍ରକ୍ରିୟାକୁ ଅଧିକ ସରଳ, ଦ୍ରୁତ ଓ ଡିଜିଟାଲାଇଜ୍ କରିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ।ତେବେ କାଗଜ ବୋର୍ଡିଂ ପାସ୍ ଧରିଥିବା ଯାତ୍ରୀଙ୍କୁ ମଧ୍ୟ ଏହି ନୂଆ ବ୍ୟବସ୍ଥାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ; ସେମାନେ ପ୍ରିଣ୍ଟେଡ୍ କପି ସହିତ ଯାତ୍ରା କରିପାରିବେ। ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ଇମିଗ୍ରେସନ୍ ପାଇଁ ଆଉ କୌଣସି ଫିଜିକାଲ ବୋର୍ଡିଂ ପାସ୍ ଉପରେ ଷ୍ଟାମ୍ପ୍ ମରାଯିବ ନାହିଁ।




