୪ ଜିଲ୍ଲାରେ ବନ୍ୟା ଯୋଗୁଁ ୪୫ ପଞ୍ଚାୟତ ପ୍ରଭାବିତ


ଭୁବନେଶ୍ୱର: ରାଜ୍ୟର ୪ଟି ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରାୟ ୪୫ଟି ପଞ୍ଚାୟତ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏ ନେଇ ବିଶେଷ ସୂଚନା ଦେଇଛନ୍ତି ବିଶେଷ ସହାୟତା ଆୟୁକ୍ତ (SRC) ରାଜେଶ ପ୍ରଭାକର ପାଟିଲ। ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍ଗୀନ ରହିଛି। ବୈତରଣୀ ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ବୈତରଣୀ ନଦୀର ବନ୍ୟାଜଳ ଯୋଗୁଁ ଭଦ୍ରକ ଓ ଯାଜପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ପୂର୍ବରୁ ହୋଇଥିବା ଘାଇ ଦେଇ ବିଭିନ୍ନ ଗ୍ରାମାଞ୍ଚଳକୁ ବନ୍ୟାଜଳ ପଶିଯାଇଛି। ସେହିପରି ବୁଢ଼ାବଳଙ୍ଗ ନଦୀର ପାଣି ବାରିପଦା ସହର ମଧ୍ୟକୁ ପ୍ରବେଶ କରିଥିବା ବେଳେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବା ଫଳରେ ପ୍ରାୟ ୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହାଦ୍ୱାରା ବାଲେଶ୍ୱର ଜିଲ୍ଲାର ଭୋଗରାଇ ଓ ବସ୍ତା ବ୍ଲକ୍ ପ୍ରଭାବିତ ହେବାର ଆଶଙ୍କା ରହିଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଘଟଣାସ୍ଥଳରେ ଓଡ଼ରାଫ୍ ର ୧୦ଟି ଓ ଏନ୍ଡିଆର୍ଏଫ୍ ର ୭ଟି ଟିମ୍ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି। କେବଳ ବାଲେଶ୍ୱର ଜିଲ୍ଲାରେ ୪ଟି ଓଡ଼ରାଫ୍ ଓ ୪ଟି ଏନ୍ଡିଆର୍ଏଫ୍ ଟିମ୍ ନିୟୋଜିତ ହୋଇ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।



