Uncategorized

କଲମ୍ବିଆରେ ଶକ୍ତିଶାଳୀ ଭୂକମ୍ପ: ୧୩୨ ମୃତ, ୫୭୦ ଗୁରୁତର

ନୂଆଦିଲ୍ଲୀ: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଦୋହଲିଯାଇଛି ପଶ୍ଚିମ କଲମ୍ବିଆ। ସୋମବାର ଅନୁଭୂତ ୭.୪ ତୀବ୍ରତାର ଏହି ଭୂକମ୍ପରେ ଅତିକମରେ ୧୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୬୦୦ ଜଣ ଗୁରୁତର ଆହତ ହୋଇଛନ୍ତି। ଶତାଧିକ ବହୁତଳ କୋଠା ନଷ୍ଟ ହୋଇଯାଇଥିବାରୁ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକେ ଭଗ୍ନାବଶେଷ ତଳୁ ନିଖୋଜମାନଙ୍କୁ ଉଦ୍ଧାର କରିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ଏହି ବିପର୍ଯ୍ୟୟ ଗୋଟିଏ ସପ୍ତାହ ପୂର୍ବରୁ ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ଧ୍ୱଂସବିଧ୍ୱସ୍ତ ହୋଇଥିବା ପଡ଼ୋଶୀ ଭେନେଜୁଏଲାର ହୃଦୟବିଦାରକ ଦୃଶ୍ୟକୁ ପୁନର୍ବାର ତାଜା କରିଦେଇଛି। ଆମେରିକା ଜିଓଲୋଜିକାଲ ସର୍ଭେର ସୂଚନା ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ ବୋଗୋଟାଠାରୁ ପ୍ରାୟ ୪୦୦ କିଲୋମିଟର ପଶ୍ଚିମରେ ଥିବା ଚୋକୋ ଅଞ୍ଚଳରେ ଥିଲା। ଏହାର ଝଟକା ପଡ଼ୋଶୀ ଇକ୍ୱେଡର ଏବଂ ପାନାମାରେ ମଧ୍ୟ ଅନୁଭୂତ ହୋଇଥିବା ବେଳେ ସେଠାରେ ସାମାନ୍ୟ କ୍ଷୟକ୍ଷତି ହୋଇଛି। ତେବେ ପଶ୍ଚିମ କଲମ୍ବିଆର ପେରେଇରା, କ୍ୱିବଡୋ, କାଲି ଏବଂ ମାନିଜାଲେସ୍ ସମେତ ବିଭିନ୍ନ ସହରରେ ଏହା ବ୍ୟାପକ ସଂହାର ଲୀଳା ରଚନା କରିଛି। ଦେଶର ତୃତୀୟ ବୃହତ୍ତମ ସହର କାଲିଠାରେ ଉଦ୍ଧାରକାରୀ ଦଳ ଓ ସାଧାରଣ ନାଗରିକମାନେ ଧ୍ୱଂସସ୍ତୂପ ମଧ୍ୟରୁ ନିଜ ଆତ୍ମୀୟମାନଙ୍କୁ ଖୋଜୁଥିବା ଦେଖିବାକୁ ମିଳିଛି।

Related Articles

Back to top button