ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୧୩ରେ ଲଘୁଚାପ ସମ୍ଭାବନା


ଭୁବନେଶ୍ୱର: ଓଡ଼ିଶାରେ ପୁଣି ବର୍ଷାର ବଡ଼ ପ୍ରଭାବ ଦେଖିବାକୁ ମିଳିପାରେ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୧୩ ଅଗଷ୍ଟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେଲେ ରାଜ୍ୟର ବିଭିନ୍ନ ଭାଗରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ବିଶେଷକରି ଉତ୍ତର ଓଡ଼ିଶା ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆଜି ମଧ୍ୟମରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଭାଗର ଆକଳନ ଅନୁସାରେ-ମୟୂରଭଞ୍ଜ, କେନ୍ଦୁଝର, କଟକ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ନୟାଗଡ଼, ଯାଜପୁର, ଢେଙ୍କାନାଳ, ଗଞ୍ଜାମ, ଅନୁଗୋଳ, ଦେବଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିବ। ଆଜି ଅପରାହ୍ନରୁ ସନ୍ଧ୍ୟା ୭ଟା ମଧ୍ୟରେ କଟକ ଓ ଭୁବନେଶ୍ୱର ଟ୍ୱିନ୍ ସିଟିରେ ତୀବ୍ର ବୃଷ୍ଟିପାତର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଅତ୍ୟଧିକ ବର୍ଷା ଯୋଗୁଁ ରାସ୍ତାଘାଟରେ ପାଣି ଜମିବା, ଟ୍ରାଫିକ୍ ସମସ୍ୟା ଏବଂ ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ଆବଶ୍ୟକ ନଥିଲେ ତୀବ୍ର ବର୍ଷା ସମୟରେ ବାହାରକୁ ନଯିବା ଏବଂ ପାଣିପାଗ ବିଭାଗର ସୂଚନା ପ୍ରତି ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।


