‘ପେପର ଲିକ୍ ଭଳି ଗମ୍ଭୀର ରୋଗର ସ୍ଥାୟୀ ଚିକିତ୍ସା ଆବଶ୍ୟକ’: ରାଘବ ଚଢ଼ା


ନୂଆଦିଲ୍ଲୀ: ରାଜ୍ୟସଭାରେ ପେପର ଲିକ୍ ବିରୋଧୀ ବିଲ୍ ଉପରେ ଆଲୋଚନା ସମୟରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ସାଂସଦ ରାଘବ ଚଢ଼ା ନିଜର ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ପେପର ଲିକ୍ ଭଳି ଏକ ଗମ୍ଭୀର ରୋଗର ସ୍ଥାୟୀ ଚିକିତ୍ସା ଆବଶ୍ୟକ। ଏହାକୁ କର୍କଟ ରୋଗ ସହ ତୁଳନା କରି ସେ କହିଛନ୍ତି, “ଯେପରି କ୍ରୋସିନ୍ (ପାରାସିଟାମୋଲ୍) ଦ୍ୱାରା କର୍କଟ ରୋଗର ଚିକିତ୍ସା କରାଯାଇପାରିବ ନାହିଁ, ସେହିପରି କେବଳ ଉପରଠାଉରିଆ ପଦକ୍ଷେପ ଦ୍ୱାରା ପେପର ଲିକ୍ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଏଥିପାଇଁ ଏକ ଦୃଢ଼ ସାଂଗଠନିକ ସଂସ୍କାର ଆବଶ୍ୟକ।” ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ସାଂସଦ ଚଢ଼ା କହିଛନ୍ତି, “NEET ପରୀକ୍ଷାର୍ଥୀଙ୍କ କ୍ରୋଧ ଓ ଯନ୍ତ୍ରଣା ସମ୍ପୂର୍ଣ୍ଣ ଯଥାର୍ଥ। ପରୀକ୍ଷା ବ୍ୟବସ୍ଥାକୁ ନେଇ ସେମାନଙ୍କ ଅଭିଯୋଗ ମଧ୍ୟ ସତ୍ୟ। ଯେତେବେଳେ ଜଣେ ଛାତ୍ର NEET ଭଳି ପରୀକ୍ଷା ପାଇଁ ପ୍ରସ୍ତୁତ ହୁଏ, ସେତେବେଳେ କେବଳ ସେ ଏକା ନୁହେଁ, ବରଂ ତାଙ୍କର ସମଗ୍ର ପରିବାର ଏହି ସଂଘର୍ଷ ଦେଇ ଗତିକରେ। ମା’ ଘରର ବଜେଟ୍ କାଟ୍ କରନ୍ତି ଏବଂ ପିତା ନିଜର ସଞ୍ଚିତ ଅର୍ଥ କିମ୍ବା ଋଣ ଆଣି କୋଚିଂ ଓ ରହିବା ଖର୍ଚ୍ଚ ବହନ କରନ୍ତି।”




