Uncategorized

ରାଜଧାନୀରେ ପୁଣି ଜୀବନ ନେଲା ଦ୍ରୁତଗାମୀ କାର୍: ମର୍ସିଡିଜ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ଦ୍ରୁତଗାମୀ ଦାମୀ କାର୍‌ର ବେପରୁଆ ଚାଳନା ଜଣଙ୍କ ଜୀବନ ନେଇଛି। ଗତକାଲି ବିଳମ୍ବିତ ରାତିରେ ଶାସ୍ତ୍ରୀନଗର ଛକ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ମର୍ସିଡିଜ୍‌ କାର୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ କଟକ ଜିଲ୍ଲା ନିଶ୍ଚିତକୋଇଲି ଥାନା ଅଞ୍ଚଳର ଦେବୀପ୍ରସାଦ ରାଉତ ବୋଲି ଜଣାପଡ଼ିଛି। ଖବର ପାଇ ଖାରବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ କ୍ୟାପିଟାଲ ହସ୍ପିଟାଲ ଶବ ସଂରକ୍ଷଣ ଗୃହରେ ରଖିଛି। ଆଜି (ମଙ୍ଗଳବାର) ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଏହି ଦୁର୍ଘଟଣା ନେଇ ମୃତ ଦେବୀପ୍ରସାଦଙ୍କ ପତ୍ନୀ ଥାନାରେ ଏତଲା ଦେବା ପରେ ପୋଲିସ କେସ୍‌ ନଂ. ୫୧୨/୨୦୨୬ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଦୁର୍ଘଟଣାଗ୍ରସ୍ତ ଉଭୟ କାର୍‌ ଓ ବାଇକ୍‌କୁ ଜବତ କରାଯିବା ସହ କାର୍‌ ଚଳାଉଥିବା ଯୁବକଙ୍କୁ ପୋଲିସ ଗିରଫ କରିଛି।

Related Articles

Back to top button