ଓଡ଼ିଶା କ୍ୟାଡରର ଆଉ ଜଣେ IPSଙ୍କ ଇସ୍ତଫା


ଭୁବନେଶ୍ୱର: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର (VRS) ଚର୍ଚ୍ଚା ଥମିନଥିବା ବେଳେ, ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ ଇସ୍ତଫା ଦେଇଛନ୍ତି। ଚାକିରିରେ ଯୋଗଦେବାର ମାତ୍ର କିଛି ମାସ ମଧ୍ୟରେ ସେ ନିଜ ପଦରୁ ଇସ୍ତଫା ଦେବା ପ୍ରଶାସନିକ ସ୍ତରରେ ଏକ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଯୁବ ଅଫିସର ଜଣକ ହେଉଛନ୍ତି ୨୦୨୪/୨୦୨୫ ବ୍ୟାଚର IPS ଅଭିଜିତ ସିଏ ରାମଦାସ। ମହାରାଷ୍ଟ୍ରର ବାସିନ୍ଦା ଅଭିଜିତ, ସିଭିଲ ସର୍ଭିସେସ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ତାଙ୍କୁ ଓଡ଼ିଶା କ୍ୟାଡର ମିଳିଥିଲା। ବର୍ତ୍ତମାନ ସେ ହାଇଦ୍ରାବାଦ ସ୍ଥିତ ‘ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀ’ ରେ ତାଲିମ ନେଉଥିଲେ। ତାଲିମ ଅବଧି ଶେଷ ହେବା ପୂର୍ବରୁ ହିଁ ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତେବେ ସେ କେଉଁ ବ୍ୟକ୍ତିଗତ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଚାକିରି ଛାଡ଼ିଲେ, ସେ ନେଇ ଅଭିଜିତଙ୍କ ତରଫରୁ କିମ୍ବା ସରକାରୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଆଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ।




