Uncategorized

ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ଖୋଲିଲା ୪ଟି ସ୍ଲୁଇସ୍ ଗେଟ୍

ଭୁବନେଶ୍ବର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍। ଗୁରୁବାର ପୂର୍ବାହ୍ନ ୧୧ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ବାମପଟରୁ ୩ଟି ଏବଂ ଡାହାଣପଟରୁ ଗୋଟିଏ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରର ଜଳସ୍ତର ୬୧୧ ଫୁଟ୍‌ ଅତିକ୍ରମ କରିବା ପରେ କର୍ତ୍ତୃପକ୍ଷ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଆଗକୁ ପର୍ଯ୍ୟାୟକ୍ରମେ ଅଧିକ ଗେଟ୍ ଖୋଲାଯାଇ ପ୍ରାୟ ୧ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ବନ୍ୟାଜଳ ଛଡ଼ାଯିବାର ସୂଚନା ରହିଛି। ହୀରାକୁଦରୁ ପାଣି ଛଡ଼ାଯିବା ପରେ ମହାନଦୀର ତଳମୁଣ୍ଡରେ ଜଳପ୍ରବାହ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ମହାନଦୀ ଓଡ଼ିଶାର ୧୦ରୁ ଅଧିକ ଜିଲ୍ଲା ଦେଇ ପ୍ରବାହିତ ହେଉଥିବାରୁ, ନଦୀକୂଳିଆ ଏବଂ ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ପ୍ରଶାସନ ତରଫରୁ ସତର୍କ କରାଯାଇଛି। ଏଥିସହିତ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟ ବନ୍ଧ ଓ ଏହାର ଆଖପାଖ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା କରାଯାଇଛି। ଏହି ସୀମା ମଧ୍ୟରେ ବିନା ଅନୁମତିରେ ବିମାନ କିମ୍ବା ଡ୍ରୋନ୍ ଉଡ଼ାଣ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି।

Related Articles

Back to top button