
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଲୁଟୁ ଥିଲେ ଜଙ୍ଗଲ ସଂପତ୍ତି । କିନ୍ତୁ ଧରା ପଡ଼ିଗଲେ ଦୁର୍ନୀତି ନିବାରଣ ସଂସ୍ଥା ହାତରେ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ୍ ରେଞ୍ଜର ରବୀନ୍ଦ୍ର ନାୟକଙ୍କ ଘର ଉପରେ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ । ଏକକାଳୀନ କଟକ ଓ କେନ୍ଦ୍ରାପଡ଼ାର ଚାରିଟି ସ୍ଥାନରେ ଛାନଭିନ୍ ଚାଲିଛି । ରେଞ୍ଜର ରବୀନ୍ଦ୍ର ନାୟକଙ୍କ ବାସଭବନ ସମେତ ସ୍ଥାବର-ଅସ୍ଥାବର ସମ୍ପତ୍ତିର ଖୋଳତାଡ଼ କରାଯାଉଛି । ଚଢାଉ ବେଳେ ଘରୁ ନଗଦ ୨ ଲକ୍ଷ ୪୩ ହଜାର ଟଙ୍କା, ୪୩ ଲକ୍ଷ ବ୍ୟାଙ୍କ ଡିପୋଜିଟ୍ ମିଲିଛି । ଏହା ସହିତ ବିପୁଳ ପରିମାଣର ସୁନା, ରୂପା ଅଳଙ୍କାର, ଦାମୀ ଘଣ୍ଟାର ସନ୍ଧାନ ପାଇଛି ଭିଜିଲାନ୍ସ । ସେହିପରି ବାରଙ୍ଗ ତହସିଲ୍ ଅଧୀନରେ ୬ଟି ଦାମୀ ପ୍ଲଟ୍, ଗୋଟିଏ ୪ ତାଲା କୋଠାଘର, କାର୍ ବି ମିଳିଛି । ଏବେ ବି ଅଧିକ ତଦନ୍ତ ଚାଲିଛି ।
ସେପଟେ ଲାଞ୍ଚ ନେବା ବେଳେ ଖଣି ବିଭାଗର କୋରାପୁଟ ଜୟପୁର ଡେପୁଟି ଡିରେକ୍ଟର ସତ୍ୟଜିତ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଘରୁ ମିଳିଛି ବିପୁଳ ଟଙ୍କା, ଏକକାଳୀନ ୩ଟି ଠିକଣାରେ ଚାଲିଛି ଚଢ଼ାଉ। ଏକ ବାଲି ଖାଦାନର ଲିଜ୍ ଅବଧି ବଢ଼ାଇବା ପାଇଁ ସତ୍ୟଜିତ ରାଉତ ମୋଟା ଅଙ୍କର ଲାଞ୍ଚ ଦାବି କରିଥିଲେ । ଟଙ୍କା ନେବା ବେଳେ ହିଁ ତାଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଛି । ସତ୍ୟଜିତ ରାଉତଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ଟିମ୍ ଆକ୍ସନ ମୋଡ୍କୁ ଆସିଛି । ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ କରିବା ପାଇଁ ଏକକାଳୀନ ୩ଟି ବାସଭବନରେ ଚଢ଼ାଉ ଜାରି ରହିଛି । ତାଙ୍କର ଲିଙ୍ଗରାଜ ନଗର ସ୍ଥିତ ବାସଭବନରେ ଚଢ଼ାଉ ସମୟରେ ଭିଜିଲାନ୍ସ ହାତରେ ଲାଗିଛି ଅତିରିକ୍ତ ୨.୯ ଲକ୍ଷ ନଗଦ ଟଙ୍କା । ଏପର୍ଯ୍ୟନ୍ତ ମୋଟ୍ ୪.୯ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହାଛଡ଼ା କଟକର ବିଦ୍ୟାଧରପୁର ଓ ଓଳକଣାରେ ଠାରେ ଥିବା ପୈତୃକ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ବ୍ୟାଙ୍କ ଆକାଉଣ୍ଟ, ଜମି କାଗଜପତ୍ର ଏବଂ ଅନ୍ୟାନ୍ୟ ସମ୍ପତ୍ତିର ଯାଞ୍ଚ କରାଯାଉଥିବା ବେଳେ ଆଗକୁ ଜବତ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି।




