
ଭୁବନେଶ୍ୱର,ଗୋ ମାଫିଆଙ୍କୁ ପୋଲିସ ରେଡ୍ ସମ୍ପର୍କରେ ପୂର୍ବରୁ ସୂଚନା ଦେଇ, ଫସିଗଲେ ପୋଲିସ ଏଏସଆଇ, କନଷ୍ଟେବଳ ଏବଂ ହୋମଗାର୍ଡ । ପୋଲିସ ଏଏସଆଇ ଓ କନଷ୍ଟେବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି, ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଠୁପାଲି ।ଗତ ଜୁନ ୧୩ ତାରିଖରେ ପୂର୍ବାଞ୍ଚଳ ଏଡିଜି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ, ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଠୁପାଲିଙ୍କ ତତ୍ତ୍ଵାବଧାନରେ, ମୟୂରଭଞ୍ଜ ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ ଜିଲ୍ଲାର, ବିଭିନ୍ନ ସ୍ଥାନରେ ଗୋ ମାଫିଆଙ୍କ ଘରେ ରେଡ୍ କରିଥିଲା ।ମୟୂରଭଞ୍ଜ ଜିଲ୍ଲାର ୩ଟି ଥାନା ଅଞ୍ଚଳ ,ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା, ଝାରପୋଖରିଆ ଥାନା ଓ ବୈଶିଙ୍ଗା ଥାନା ଅଞ୍ଚଳର ଗୋ ମାଫିଆଙ୍କ ଘରେ ପୋଲିସ ବଡ଼ ଧରଣର, ଚଢ଼ାଉ କରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଚଢ଼ାଉ ପୂର୍ବରୁ, ଉତ୍ତମ ଦଣ୍ଡପାଟ ନିଜ ଘରୁ ଫେରାର ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ଯାଞ୍ଚ କରାଯିବାରୁ ମାଫିଆ ଜଣକ ଫେରାର ହେବା ଘଟଣା ,ସିସିଟିଭିରେ ଦେଖିବାକୁ ମିଳିଥିଲା । ଚଢାଉ ପୂର୍ବରୁ ଗୋ ମାଫିଆଙ୍କୁ ଖବର ଦେବା ଓ ଫେରାର ହେବାରେ ଝାରପୋଖରିଆ ଥାନାର ଦୁଇ ପୋଲିସ କର୍ମଚାରୀ, ସହଯୋଗ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଝାରପୋଖରିଆ ଥାନା ଏଏସଆଇ ରଣଜିତ ନାଏକ ଓ କନେଷ୍ଟବଳ ଆଶିଷ ନାଏକଙ୍କୁ, କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ମୟୂରଭଞ୍ଜ ଏସପି ।




