Uncategorized
ଖାଇକୁ ଖସିଲା ବସ୍: ୪୦ ମୃତ, ୮ ଗୁରୁତର


ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଏକ ସଡ଼କ ଦୁର୍ଘଟଣାରେ ୪୦ ଜଣ ଯାତ୍ରୀଙ୍କ ପ୍ରାଣହାନି ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍ ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସିପଡ଼ିବା ଯୋଗୁଁ ଏହି ବଡ଼ ବିପତ୍ତି ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବସ୍ଟି କ୍ୱଏଟାରୁ ଇସଲାମାବାଦ ଅଭିମୁଖେ ଯାଉଥିଲା। ଏଥିରେ କ୍ଷମତାଠାରୁ ଅଧିକ ଅର୍ଥାତ ମୋଟ ୪୮ ଜଣ ଯାତ୍ରୀ ଥିଲେ। ବଲୁଚିସ୍ତାନ ଏବଂ ଖାଇବର ପଖତୁନଖ୍ୱା ପ୍ରଦେଶ ସୀମା ନିକଟବର୍ତ୍ତୀ ଏକ ଦୁର୍ଗମ ଘାଟି ରାସ୍ତାରେ ଚାଳକ ଜଣକ ନିୟନ୍ତ୍ରଣ ହରାଇବାରୁ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବଲୁଚିସ୍ତାନ ସରକାରଙ୍କ ମୁଖପାତ୍ର ସହିଦ ରିନ୍ଦ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସ୍ଥାନୀୟ ପ୍ରଶାସନ ତରଫରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।




