
ଭୁବନେଶ୍ୱର,ଗତ କିଛି ଦିନ ଧରି ରାଜ୍ୟ ରାଜନୀତି ସ୍କୁଲ ପାଠ୍ୟପୁସ୍ତକରେ ମାଳମାଳ ତ୍ରୁଟିକୁ ନେଇ ସରଗରମ ରହିଛି। ଇତିହାସ, ଭୂଗୋଳ ସମେତ, ବିଭିନ୍ନ ବିଷୟର ପାଠ୍ୟପୁସ୍ତକରେ, ତଥ୍ୟଗତ ଓ ମୁଦ୍ରଣଜନିତ ତ୍ରୁଟି ଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ, ବିରୋଧୀ ଦଳ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। କେବଳ ରାଜନୈତିକ ମହଲ ନୁହେଁ, ଶିକ୍ଷାବିତ୍, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ, ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ବିବାଦ ମଧ୍ୟରେ ରାଜ୍ୟ ସରକାର ନେଇଛନ୍ତି, ଏକ ବଡ଼ ନିଷ୍ପତ୍ତି। ପାଠ୍ୟପୁସ୍ତକରେ, ତ୍ରୁଟିକୁ ନେଇ ଉଠିଥିବା ବିବାଦ ପରେ ରାଜ୍ୟ ସରକାର ଏବେ ଏହାର ସ୍ଥାୟୀ ସମାଧାନ ଦିଗରେ, ପଦକ୍ଷେପ ନେଇଛନ୍ତି। ଆଉ ପୁରୁଣା ତ୍ରୁଟିପୂର୍ଣ୍ଣ ବହି ନୁହେଁ, ବରଂ ସମ୍ପୂର୍ଣ୍ଣ ସଂଶୋଧିତ ଓ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକରେ ପାଠ ପଢ଼ିବେ ଛାତ୍ରଛାତ୍ରୀ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ, ସମସ୍ତ ତ୍ରୁଟିକୁ ଚିହ୍ନଟ କରାଯାଇ ସଂଶୋଧନ କରାଯିବ। ଏହା ପରେ ନୂଆ ପାଠ୍ୟପୁସ୍ତକ ଛପାଯାଇ, ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ।କେବଳ ସରକାରୀ ସ୍ତରରେ ସୀମିତ ନରହି ସାଧାରଣ ଲୋକଙ୍କ ସହଭାଗିତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏଥର ପାଠ୍ୟପୁସ୍ତକଗୁଡ଼ିକୁ ବିଭାଗର ୱେବସାଇଟ୍ରେ, ଅପଲୋଡ୍ କରାଯିବ। ସେଠାରେ ଶିକ୍ଷକ, ଅଭିଭାବକ, ଗବେଷକ, ବିଶେଷଜ୍ଞ ଏବଂ ସାଧାରଣ ନାଗରିକମାନେ ପୁସ୍ତକରେ ଥିବା ତ୍ରୁଟି ସମ୍ପର୍କରେ ନିଜର ମତାମତ ଓ ପରାମର୍ଶ ଦେଇପାରିବେ। ସେହି ମତାମତ ଆଧାରରେ ପୁନଃ ଯାଞ୍ଚ କରାଯାଇ ଅନ୍ତିମ ପର୍ଯ୍ୟାୟରେ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବ ବୋଲି, ସାମ୍ବାଦିକ ସମ୍ମିଳନୀରେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।




