ସ୍କୁଲ ବହି ତ୍ରୁଟି ଘଟଣାରେ କାର୍ଯ୍ୟାନୁଷ୍ଠାନ: ପୂର୍ବତନ SCERT ନିର୍ଦ୍ଦେଶକଙ୍କ ସମେତ ୩ ନିଲମ୍ବିତ


ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି ବଡ଼ ପଦକ୍ଷେପ। ତଦନ୍ତ କମିଟିର ସୁପାରିଶ ଆଧାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଶିକ୍ଷକ ଶିକ୍ଷା ଓ ଏସସିଇଆରଟି ର ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ଚାକିରିରୁ ନିଲମ୍ବିତ (ସସପେଣ୍ଡ) କରାଯାଇଛି। ଏହା ସହିତ ଅନ୍ୟ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷରେ, ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାକୁ ଦୃଷ୍ଟିରେ ରଖି କମିଟି ପ୍ରଦାନ କରିଥିବା ୧୪ଟି ଗୁରୁତ୍ୱପୂର୍ଣ୍ଣ ସୁପାରିଶକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ସ୍କୁଲ ବହିରେ ଦେଖାଦେଇଥିବା ତ୍ରୁଟିର ଅନୁଧ୍ୟାନ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ଏହି କମିଟି ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ତଦନ୍ତ ରିପୋର୍ଟ ହସ୍ତାନ୍ତର କରିଥିଲା। କମିଟିର ରିପୋର୍ଟ ଓ ସୁପାରିଶକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ଏହି ଆକ୍ସନ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ତିନି ଜଣ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ କୁମାର ସାହୁ ଓ ଭାରତୀ ଟୁଡୁଙ୍କୁ ନିଲମ୍ବନ କରାଯାଇଛି। ସରକାରଙ୍କ ଏହି କଠୋର ଆଭିମୁଖ୍ୟ ଶିକ୍ଷା ବିଭାଗରେ ଥିବା ଅବହେଳା ବିରୋଧରେ ଏକ ସ୍ପଷ୍ଟ ଚେତାବନୀ ବୋଲି ଚର୍ଚ୍ଚା ହେଉଛି।




