
ଭୁବନେଶ୍ୱର ,ଭାରତୀୟ ପାଣିପାଗ ବିଭାଗ ର ସୂଚନା ଅନୁଯାୟୀ, ଜୁନ୍ ୪ ରୁ ଜୁନ୍ ୨୨ ମଧ୍ୟରେ ଦେଶରେ, ସ୍ୱାଭାବିକ ୯୭.୬ ମିଲିମିଟର ବଦଳରେ, ମାତ୍ର ୫୩.୧ ମିଲିମିଟର ବର୍ଷା ହୋଇଛି। ସମଗ୍ର ଦେଶରେ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ, ୪୬ ପ୍ରତିଶତ କମ୍ ରହିଛି। ବିଶେଷ କରି କେନ୍ଦ୍ରୀୟ, ଉତ୍ତର ଏବଂ ଦକ୍ଷିଣ ଭାରତର ଏକ ବଡ଼ ଅଞ୍ଚଳରେ, ବର୍ଷାର ଚରମ ଅଭାବ ଦେଖାଦେଇଛି। ଆରବ ସାଗରରୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ପବନ ଯୋଗୁଁ ମୁମ୍ବାଇ, ଏହାର ଆଖପାଖ ଅଞ୍ଚଳ ଏବଂ ଦକ୍ଷିଣ-ପୂର୍ବ ଗୁଜରାଟରେ ବର୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହା ଏକ ଆଶ୍ୱାସନାର ଖବର। କିନ୍ତୁ ଏହି ଆଶା ସତ୍ତ୍ୱେ, ଜୁନ୍ ମାସରେ ହୋଇଥିବା ସ୍ୱଳ୍ପ ବୃଷ୍ଟିପାତ ଦେଶର ଚାଷ କାର୍ଯ୍ୟକୁ ବଡ଼ ଧକ୍କା ଦେଇସାରିଛି। ବିଶେଷଜ୍ଞଙ୍କ ଅନୁସାରେ, ଚଳିତ ୨୦୨୬ ଜୁନ୍ ମାସଟି ବିଗତ ୧୪୬ ବର୍ଷ ମଧ୍ୟରେ ସବୁଠାରୁ ଶୁଖିଲା ଜୁନ୍ ମାସ ଭାବେ ରେକର୍ଡ କରାଯାଇଛି।ପାଣିପାଗ ବିଜ୍ଞାନୀମାନଙ୍କ ଅନୁସାରେ, ଗତ କିଛି ଦିନ ଧରି ମେଘ କେବଳ ବଙ୍ଗୋପସାଗର, ପୂର୍ବ ଭାରତ ଏବଂ ହିମାଳୟ ଅଞ୍ଚଳରେ ସୀମିତ ଥିଲା। ସେଥିପାଇଁ କେନ୍ଦ୍ରୀୟ ଓ ପଶ୍ଚିମ ଭାରତରେ ମେଘ ସୃଷ୍ଟି ହୋଇପାରିନଥିଲା। କିନ୍ତୁ ଏବେ ସ୍ଥିତି ବଦଳୁଛି।




