ଗୋଟିଏ ଦିନରେ ଦୁଇଟି ପରୀକ୍ଷା ; ଦ୍ୱନ୍ଦ୍ୱରେ ହଜାର ହଜାର ଆଶାୟୀ


ଭୁବନେଶ୍ବର : ଗୋଟିଏ ଦିନରେ ଦୁଇ ଦୁଇଟି ପରୀକ୍ଷା । ଜୁନ୍ ୨୮ ତାରିଖ ଗୋଟିଏ ଦିନରେ ଓଟିଇଟି ଏବଂ ଓଏସ୍ଏସ୍ଏସ୍ସି ପରୀକ୍ଷା ରହିଛି । ଯାହାକୁ ନେଇ ଦ୍ୱନ୍ଦ୍ୱରେ ହଜାର ହଜାର ପରୀକ୍ଷାର୍ଥୀ । ରାଜ୍ୟରେ ସରକାରୀ ଚାକିରି ଏବଂ ଶିକ୍ଷକତା କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ପ୍ରସ୍ତୁତି କରୁଥିବା ହଜାର ହଜାର ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର.ଆଇ, ଏ.ଆର.ଆଇ, ଆଇସିଡିଏସ୍ ସୁପରଭାଇଜର, ଅମିନ ଏବଂ ଏସ୍ଏଫ୍ଏସ୍ ପଦବୀ ପାଇଁ ନିଯୁକ୍ତି ପରୀକ୍ଷାର ତାରିଖ ପରିବର୍ତ୍ତନ କରାଯାଇ ଜୁନ ୨୮ ତାରିଖକୁ ଧାର୍ଯ୍ୟ କରାଯାଇଛି । ସେହିଦିନ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଟିଇଟି ମଧ୍ୟ ଅନୁଷ୍ଠିତ ହେବ । ତେଣୁ ଉଭୟ ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀ ଏବେ ଦ୍ୱନ୍ଦ୍ୱରେ । ପୂର୍ବରୁ OSSSC ପରୀକ୍ଷା ଜୁନ ୨୦ ତାରିଖରେ ହେବାକୁ ସ୍ଥିର ହୋଇଥିଲା । ତେବେ ପ୍ରାଶାସନିକ କାରଣରୁ ଏହାକୁ ସ୍ଥଗିତ କରାଯାଇ ଜୁନ ୨୮ ତାରିଖରେ ଆୟୋଜନ କରିବାକୁ ଘୋଷଣା କରାଯାଇଛି । ଏହି ଘୋଷଣା ପରେ ଅନେକ ପ୍ରାର୍ଥୀ ଅସନ୍ତୋଷ ପ୍ରକାଶ କରିଛନ୍ତି । କାରଣ ସେମାନେ ଦୀର୍ଘଦିନ ଧରି ଉଭୟ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ଏବେ ଗୋଟିଏ ଦିନରେ ଦୁଇଟିଯାକ ପରୀକ୍ଷା ଥିବାରୁ ସେମାନଙ୍କ ମାନସିକ ଦୁଶ୍ଚିନ୍ତା ବଢ଼ିଯାଇଛି। ସରକାର ଏଥିରେ ହସ୍ତକ୍ଷେପ କରି କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି ।




