
ଭୁବନେଶ୍ୱର ,ପୋଲିସ ଏବଂ ବିଭିନ୍ନ ତଦନ୍ତକାରୀ ସଂସ୍ଥାଙ୍କୁ ଏକ ନୂଆ ମୋବାଇଲ୍ ଫିଙ୍ଗରପ୍ରିଣ୍ଟ ସ୍କାନିଂ ଆପ୍ ‘ଅଭିଜ୍ଞାନ’ ଯୋଗାଇ ଦିଆଯାଇଛି। ଏହି ଆପ୍ ମାଧ୍ୟମରେ ଅଧିକାରୀମାନେ, ଯେକୌଣସି ସ୍ଥାନରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଆଙ୍ଗୁଠି ଛାପ ସ୍କାନ୍ କରି ସେଗୁଡ଼ିକୁ ଜାତୀୟ ଡାଟାବେସ୍ ସହ ତୁଳନା କରିପାରିବେ।ଦେଶରେ ଅପରାଧ ହାର ବଢୁଥିବା ବେଳେ ତଦନ୍ତକୁ ଅଧିକ ଦ୍ରୁତ ଓ ପ୍ରଯୁକ୍ତିନିର୍ଭର କରିବା ପାଇଁ ଆଉ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମୋବାଇଲ୍ ଆପ୍ ଓ ପୋର୍ଟେବଲ୍ ସ୍କାନର ଦ୍ୱାରା ପୋଲିସକୁ ଆଉ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ, ଥାନାକୁ ନେଇ ଯାଞ୍ଚ କରିବାକୁ ପଡ଼ିବ ନାହିଁ। ଏହା ମାଧ୍ୟମରେ ପୋଲିସ ଅଧିକାରୀମାନେ ଯେକୌଣସି ସ୍ଥାନରେ, ଏପରିକି ରାସ୍ତାରେ ଯାଉଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକାଇ ସେମାନଙ୍କ ବୁଢ଼ା ଆଙ୍ଗୁଠିର ଛାପସଂଗ୍ରହ କରିପାରିବେ। ସ୍କାନ୍ ହୋଇଥିବା ଏହି ଫିଙ୍ଗରପ୍ରିଣ୍ଟକୁ ତୁରନ୍ତ ଜାତୀୟ ଡାଟାବେସ୍ ସହ ମେଳ କରାଯିବ ଏବଂ ଅଧିକାରୀଙ୍କ ସ୍ମାର୍ଟଫୋନରେ ତୁରନ୍ତ ଜଣାପଡ଼ିଯିବ ଯେ ସେହି ବ୍ୟକ୍ତିଙ୍କ ନାମରେ କୌଣସି ଅପରାଧିକ ମାମଲା କିମ୍ବା ଗିରଫ ପରୱାନା ରହିଛି କି ନାହିଁ।ଏହି ବ୍ୟବସ୍ଥା ଜାତୀୟ ସ୍ୱୟଂଚାଳିତ ଫିଙ୍ଗରପ୍ରିଣ୍ଟ ପରିଚୟ ପ୍ରଣାଳୀ ସହ ସଂଯୁକ୍ତ ରହିବ। NAFIS ହେଉଛି NCRB ଦ୍ୱାରା ବିକଶିତ ଏକ କେନ୍ଦ୍ରୀୟ ଡାଟାବେସ୍, ଯେଉଁଥିରେ, ଦେଶର ବିଭିନ୍ନ ରାଜ୍ୟରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ଫିଙ୍ଗରପ୍ରିଣ୍ଟ, ରେକର୍ଡ ସଂରକ୍ଷିତ ଅଛି। ଏହା ମାଧ୍ୟମରେ ଅପରାଧୀଙ୍କୁ ଶୀଘ୍ର ଚିହ୍ନଟ କରିବା ସମ୍ଭବ ହେବ।




