ମଧ୍ୟପ୍ରାଚ୍ୟ ଯୁଦ୍ଧରେ ପଡ଼ିବ ଯବନିକା: ଆମେରିକା ଓ ଇରାନ ରାଷ୍ଟ୍ରପତିଙ୍କ ମଧ୍ୟରେ ଐତିହାସିକ ଚୁକ୍ତି ସ୍ୱାକ୍ଷରିତ


ୱାଶିଂଟନ: ଅବସାନ ଘଟିବାକୁ ଯାଉଛି ଦୀର୍ଘଦିନର ଆମେରିକା-ଇରାନ ବିବାଦ। ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବିରାମ ଲଗାଇବା ପାଇଁ ବୁଧବାର ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ, ଅର୍ଥନୈତିକ କଟକଣାରୁ ମୁକ୍ତି ଓ ଆର୍ଥିକ ଲାଭ ବଦଳରେ ଇରାନ ନିଜର ଆଣବିକ କାର୍ଯ୍ୟକ୍ରମ ପାଇଁ ୟୁରାନିୟମ୍ ଉତ୍ପାଦନ ଓ ବ୍ୟବହାର ହ୍ରାସ କରିବାକୁ ରାଜି ହୋଇଛି। ଏହା ସହିତ ବିଶ୍ୱ ବାଣିଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ’ (Hormuz Strait) ଜଳପଥରେ ଖୁବ୍ଶୀଘ୍ର ଚଳାଚଳ ସ୍ୱାଭାବିକ ହେବ ବୋଲି ଆଶା ପ୍ରକାଶ କରାଯାଇଛି। G7 ଶିଖର ସମ୍ମିଳନୀ ପରେ ଫ୍ରାନ୍ସର ପ୍ରସିଦ୍ଧ ଭର୍ସେଲେସ୍ ପ୍ୟାଲେସରେ ଆୟୋଜିତ ଏକ କ୍ୟାଣ୍ଡେଲ ଲାଇଟ୍ ରାତ୍ରୀଭୋଜନ ସମୟରେ ରାଷ୍ଟ୍ରପତି ଟ୍ରମ୍ପ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ମଧ୍ୟ ଉପସ୍ଥିତ ଥିଲେ। ଏହି ସ୍ୱାକ୍ଷର ସମୟର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ (ପୂର୍ବରୁ ଟ୍ୱିଟର)ରେ ପୋଷ୍ଟ କରାଯାଇଛି, ଯାହାକୁ ବିଶ୍ୱର ପ୍ରମୁଖ ନେତୃବୃନ୍ଦ ସ୍ୱାଗତ ଜଣାଇଛନ୍ତି। ପ୍ୟାଲେସରୁ ରାତ୍ରିଭୋଜନ ସାରି ଫେରିବା ବେଳେ ଟ୍ରମ୍ପ ଗଣମାଧ୍ୟମକୁ ସଂକ୍ଷେପରେ କହିଥିଲେ, “ମୁଁ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଦେଇଛି।”




