ଆସନ୍ତାକାଲିଠୁ ଖୋଲୁଛି ସ୍କୁଲ: ସୁବର୍ଣ୍ଣପୁରରେ ଗ୍ରୀଷ୍ମ ପ୍ରବାହ ଓ ସମ୍ବଲପୁରରେ ଶୀତଳଷଷ୍ଠୀ ପାଇଁ ୨୦ ଯାଏଁ ଛୁଟି


ଭୁବନେଶ୍ୱର: ଦୀର୍ଘ ଦିନର ଖରାଛୁଟି ପରେ ଆସନ୍ତାକାଲି (ଜୁନ୍ ୧୮) ଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ଯାଉଛି। ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଗ୍ରୀଷ୍ମର ପ୍ରକୋପ କମିଥିବାରୁ ପୂର୍ବନିର୍ଦ୍ଧାରିତ ସୂଚୀ ଅନୁସାରେ ସ୍କୁଲଗୁଡ଼ିକ ପୁଣି ଖୋଲିବ। ତେବେ ସ୍ଥାନୀୟ ସ୍ଥିତି ଓ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଏବଂ ସମ୍ବଲପୁର ଜିଲ୍ଲାରେ ସ୍କୁଲ ଛୁଟିକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଅସ୍ବାଭାବିକ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଜିଲ୍ଲା ପ୍ରଶାସନ ସ୍କୁଲ ଛୁଟିକୁ ଆଉ ୩ ଦିନ ବଢ଼ାଇ ଦେଇଛି। ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ସମେତ ସବୁ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଅନ୍ୟପଟେ, ସମ୍ବଲପୁର ଜିଲ୍ଲାରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ୨୦ ତାରିଖରେ ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି। ଏହି ପବିତ୍ର ଗଣପର୍ବ ଅବସରରେ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ସମେତ ସବୁ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। ୨୧ ତାରିଖ ରବିବାର ପଡ଼ୁଥିବାରୁ ସୋମବାର (ଜୁନ୍ ୨୨) ଠାରୁ ଏହି ଦୁଇ ଜିଲ୍ଲାରେ ସ୍ୱାଭାବିକ ଭାବେ ସ୍କୁଲ ପାଠପଢ଼ା ଆରମ୍ଭ ହେବ।



