ଓଡ଼ିଶାରାଜନୀତି

ଓଡ଼ିଶା ସରକାରଙ୍କ ୨ ବର୍ଷର ସଫଳତା ବଖାଣିଲେ ମୁଖ୍ୟମନ୍ତ୍ରୀ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;    ଆଜି ଆମ ସରକାରଙ୍କ ୨ ବର୍ଷ ପୂରଣ ହେଉଛି। ଠିକ୍ ୨ ବର୍ଷ ପୂର୍ବରୁ ଆଜିର ଦିନରେ (୧୨. ୦୬. ୨୦୨୪) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଆମ ସରକାର ଓଡିଶାର ଦାୟିତ୍ୱ ଗ୍ରହଣ କରିଥିଲା । ତା’ପର ଠାରୁ ଓଡିଶାରେ ଆରମ୍ଭ ହୋଇଥିଲା ଲୋକଙ୍କ ସରକାର ।  ଏହି ୨ ବର୍ଷ ମୋ ସହିତ ଆମ ସରକାରଙ୍କ ପ୍ରତ୍ୟେକ ମନ୍ତ୍ରୀ ଜନସାଧାରଣଙ୍କ ସହିତ ସିଧାସଳଖ ମିଶିଛୁ । ସେମାନଙ୍କ ସୁଖ-ଦୁଃଖ ବୁଝିଛୁ ଏବଂ ସେମାନଙ୍କ ଆଶା ଆକାଂକ୍ଷା ଅନୁରୂପ ଯୋଜନା ପ୍ରସ୍ତୁତ କରି ଓଡିଶା ପାଇଁ ଏକ ସୁନ୍ଦର ଭବିଷ୍ୟତର ରୂପରେଖ ପ୍ରସ୍ତୁତ କରିଛୁ  । ସେହି ଆଧାରରେ କାର୍ୟ୍ୟକ୍ରମ ଆଗେଇ ଚାଲିଛି । ଶୁକ୍ରବାର ଲୋକସେବା ଭବନରୁ ପ୍ରେସମିଟ୍ କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

 

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶା ପାଇଁ ସ୍ପଷ୍ଟ ଲକ୍ଷ୍ୟ ଏବଂ ସେ ଲକ୍ଷ୍ୟ ହାସଲ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇସାରିଛି । ସେହି ରୋଡମ୍ୟାପରେ ଆମେ ଓଡିଶାବାସୀଙ୍କ ଅଗ୍ରଗତି ଦିଗରେ ଆଗକୁ ବଢିବା ଆରମ୍ଭ କରିଛୁ। ଗତ ୨ ବର୍ଷରେ ଆମେ ୧୨୧ ଟି ନୂଆ ଯୋଜନା, କାର୍ୟ୍ୟକ୍ରମ କିମ୍ବା ପଦକ୍ଷେପ ଘୋଷଣା କରିଛୁ। ଯାହା ଓଡିଶାକୁ ସମୃଦ୍ଧ ଓଡିଶାର ନିକଟତର କରୁଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶାର ଏହି ଲକ୍ଷ୍ୟ ହାସଲ ଦିଗରେ, ମୋଦୀଜୀଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଆମକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇଛନ୍ତି। ଡବଲ ଇଞ୍ଜିନ୍ ସରକାରର ଡବଲ ଇମ୍ପାକ୍ଟ ଓଡିଶାର ପ୍ରତ୍ୟେକ ଗାଁ ଓ ପ୍ରତ୍ୟେକ ସହରରେ ପ୍ରତିଫଳିତ ହେଉଛି । ଏହି ୨ ବର୍ଷରେ ଆମ ସରକାରଙ୍କ ପଦକ୍ଷେପ ଯୋଗୁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି । ଓଡିଶାବାସୀ ଏବେ ପୂର୍ବ ଅପେକ୍ଷା ନିଜର ଭବିଷ୍ୟତକୁ ନେଇ ଅଧିକ ଆଶାବାଦୀ ଓ ଆତ୍ମବିଶ୍ବାସୀ ହୋଇପାରିଛନ୍ତି। ଆମର ନୀତି ହେଉଛି, ବିକାଶର ସୁଫଳରେ ସମସ୍ତେ ଭାଗୀଦାର। ବିଶେଷକରି, ଗରିବ ଲୋକର ପ୍ରଥମ ଅଧିକାର ରହିଛି ।

 

ଆଉ ପ୍ରାୟ ଦୁଇ ମାସ ପରେ ଆମେ ସ୍ଵାଧୀନତା ଦିବସ ପାଳିବା, କିନ୍ତୁ ୭୯ ବର୍ଷ ବିତିଯିବା ପରେ ବି ରାଜ୍ୟର ସମସ୍ତ ଗ୍ରାମକୁ ନାଗରିକଙ୍କ ମୌଳିକ ସୁବିଧା ଯେପରିକି ବିଜୁଳି, ପିଇବା ପାଣି ଏବଂ ସବୁଦିନିଆ ସଡକ ଯୋଗାଇ ଦିଆଯାଇନଥିଲା। ଏଥିପାଇଁ ୨୪ ବର୍ଷୀୟା ସରକାର ପଦକ୍ଷେପ କାହିଁକି ଗ୍ରହଣ କରି ନ ଥିଲା? ଏହି ଐତିହାସିକ ଭୁଲକୁ ସୁଧାରିବା ପାଇଁ ଆମ ସରକାର ଅଣ୍ଟା ଭିଡିଛି ଏବଂ ଆଗାମୀ ୨୦୨୭ ଶେଷ ସୁଦ୍ଧା ସବୁ ଗ୍ରାମକୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ମିଶନ ପାୱାର ଗଠନ କରିଛି। ଏହି ଦିଗରେ କାର୍ୟ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏବଂ ଆମେ ନିଶ୍ଚିତ ଭାବେ ସଫଳ ହେବୁ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ରେଖାଙ୍କିତ କରାଯାଇଥିବା ଚାରି ବର୍ଗ ଅର୍ଥାତ୍ “ଗରିବ, ମହିଳା, ଅନ୍ନଦାତା ଏବଂ ଯୁବବର୍ଗ”ଙ୍କ ପାଇଁ ଆମେ ପ୍ରଥମିକତା ଭିତ୍ତିରେ କାର୍ୟ୍ୟ କରୁଛୁ ବୋଲି ମୋହନ କହିଛନ୍ତି । ଏହି ଅବସରରେ ରାଜ୍ୟବାସୀ ଧନ୍ୟବାଦ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Related Articles

Back to top button