ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ‘ଧାମ’ ଶବ୍ଦ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ


ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏକ ବଡ଼ ଘୋଷଣା କରିଛନ୍ତି। ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦକୁ ହଟାଇ ଦିଆଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ପୂର୍ବତନ ସରକାର ଏହି ନାମ ସହ ‘ଧାମ’ ଶବ୍ଦ ଯୋଡ଼ିଥିଲେ, ଯାହା ସନାତନ ଧର୍ମର ପରମ୍ପରା ବିରୋଧୀ ଥିଲା। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ଏ ସମ୍ପର୍କିତ ଏକ ଅନୁରୋଧ ପତ୍ର ପାଇବା ପରେ ତୁରନ୍ତ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଖୁବ୍ଶୀଘ୍ର ନାମରୁ ‘ଧାମ’ ଶବ୍ଦ ହଟାଇ ଦିଆଯିବ। ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ। ପଶ୍ଚିମବଙ୍ଗର ଏହି ନୂତନ ନିଷ୍ପତ୍ତି ପରେ ବିଶ୍ୱବ୍ୟାପୀ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପଶ୍ଚିମବଙ୍ଗର ପୂର୍ବତନ ମମତା ବାନାର୍ଜୀ ସରକାର ଏହି ପ୍ରକଳ୍ପର ନାମ ‘ଦୀଘା ଜଗନ୍ନାଥ ଧାମ’ ରଖିଥିଲେ, ଯାହାକୁ ନେଇ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପୂର୍ବ ସରକାର ଏହି ବିରୋଧକୁ ଭ୍ରୂକ୍ଷେପ ନକରି ନିଜ ଜିଦ୍ରେ ଅଟଳ ରହିଥିଲେ ମଧ୍ୟ ଏବେ ନୂତନ ସରକାର ଏଥିରେ ସଂଶୋଧନ କରିବାକୁ ଯାଉଛନ୍ତି।



