
ଭୁବନେଶ୍ୱର,ଟିଏମସିର ୨୦ଜଣ ସାଂସଦ ସୋମବାର ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି, ଶାସକ ଏନଡିଏରେ ସାମିଲ ହେବାକୁ ନିବେଦନ କରିଛନ୍ତି। ଟିଏମସି ସାଂସଦ କାକୋଲି ଘୋଷ ଦସ୍ତିଦାର କହିଛନ୍ତି ଯେ ପଶ୍ଚିମବଙ୍ଗ ନିର୍ବାଚନ ଫଳରୁ ସ୍ପଷ୍ଟ ହୋଇଛି ଯେ ସେମାନଙ୍କର ଅସ୍ତିତ୍ବ ଏବେ ସଂକଟରେ ପଡିଛି। ତେଣୁ ସେମାନେ ଏନଡିଏ ସହିତ ଯୋଡି ହେବାକୁ ଚାହାନ୍ତି। ବିରୋଧୀ ‘ଇଣ୍ଡି’ ମେଣ୍ଟ ବୈଠକରେ ଯୋଗଦେବାକୁ ଟିଏମସି ମୁଖ୍ୟ, ମମତା ବାନାର୍ଜୀ ଦିଲ୍ଲୀରେ ଉପସ୍ଥିତ ଥିବାବେଳେ, ଦଳର ସାଂସଦଙ୍କ ମଧ୍ୟରେ ଏପରି ବିଦ୍ରୋହ ପ୍ରକାଶ ପାଇଛି। ପଶ୍ଚିମବଙ୍ଗ ଶାସନ କ୍ଷମତାରୁ ହଟିବା ପରେ, ତୃଣମୂଳ କଂଗ୍ରେସ ରେ ଦିନକୁ ଦିନ, ଅସନ୍ତୋଷ ତେଜିବାରେ ଲାଗିଛି। ଟିଏମସି ସାଂସଦଙ୍କ ମଧ୍ୟରେ ଏପରି ବିଭାଜନ ପୂର୍ବରୁ ପଶ୍ଚିମବଙ୍ଗରେ ଦଳର ବିଧାୟକଙ୍କ ମଧ୍ୟରେ ବିଭାଜନ ହୋଇସାରିଛି। ଟିଏମସିରୁ ବହିଷ୍କୃତ ହୋଇଥିବା ବିଧାୟକ, ଋତବ୍ରତ ବାନାର୍ଜୀ ବିଧାନସଭାରେ ବିରୋଧୀ ଦଳ ନେତା ନିଯୁକ୍ତି, ପାଇଛନ୍ତି। ଋତବ୍ରତଙ୍କୁ ଟିଏମସିର ୫୮ ବିଧାୟକ ସମର୍ଥନ କରିଛନ୍ତି। ବିଧାୟକଙ୍କ ସମର୍ଥନ ପତ୍ର ଆଧାରରେ ଋତବ୍ରତଙ୍କୁ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ରଥୀନ୍ଦ୍ରନାଥ ବୋଷ ବିରୋଧୀ ଦଳ ନେତା ନିଯୁକ୍ତି ଦେଇଛନ୍ତି।




