ଓଡ଼ିଶା

ସିଏଚ୍‌ଏସ୍‌ଇ ମୂଲ୍ୟାୟନ ବିଭ୍ରାଟର ବିଚାରବିଭାଗୀୟ ତଦନ୍ତ ଦାବିରେ ଅଭିଭାବକ ମହାସଂଘର ଆମରଣ ଅନଶନ

ଭୁବନେଶ୍ୱର, ୦୮/୦୬/୨୦୨୬: ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) କାର୍ଯ୍ୟାଳୟ ସମ୍ମୁଖରେ ପରୀକ୍ଷା ଖାତା ମୂଲ୍ୟାୟନ ଘୋଟାଲାର ବିଚାରବିଭାଗୀୟ ତଦନ୍ତ ଦାବିରେ ଏକ ବୃହତ ଆମରଣ ଅନଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

 ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବର୍ତ୍ତମାନ ସର୍ବଭାରତୀୟ ସ୍ତରରେ ନିଟ୍ (NEET), ସିବିଏସ୍‌ଇ (CBSE) ଏବଂ ସିୟୁଇଟି (CUET) ପରୀକ୍ଷାରେ ବିଭ୍ରାଟ ଯୋଗୁଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକ ଆଶା ଆଶଙ୍କାରେ ଥିବା ବେଳେ ଓଡ଼ିଶାର ସିଏଚ୍‌ଏସ୍‌ଇ ବୋର୍ଡରେ ମଧ୍ୟ ତା’ଠାରୁ ବଡ଼ ଘୋଟାଲା ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶରେ ମୂଲ୍ୟାୟନ ତ୍ରୁଟି ଯୋଗୁଁ ୧୮ ଜଣ ପିଲାଙ୍କ ଆତ୍ମହତ୍ୟା ଭଳି ଦୁର୍ଭାଗ୍ୟଜନକ ସ୍ଥିତି ପାଇଁ ଦାୟୀ ଥିବା ବ୍ଲାକ୍‌ଲିଷ୍ଟେଡ୍ କମ୍ପାନୀ ‘ଗ୍ଲୋବାରୀନା ଇନ୍ଫୋଟେକ’ର ପରିବର୍ତ୍ତିତ ରୂପ “COEMPT EDUTECK” କମ୍ପାନୀକୁ କେଉଁ ଆଧାରରେ ଓଡ଼ିଶା ସରକାର ଏବଂ ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ ମୂଲ୍ୟାୟନ ଦାୟିତ୍ୱ ଦେଇଥିଲେ, ତାହାକୁ ନେଇ ପ୍ରଶ୍ନ ଉଠିଛି। ତାଠାରୁ ଆହୁରି ସଂଗୀନ କଥା ହେଲା, କୋଏମ୍ପ୍ଟ ଏଡୁଟେକ୍ କମ୍ପାନୀ ବିନା ଅନୁମୋଦନରେ ଆଉ ଏକ ତୃତୀୟ ପକ୍ଷ କମ୍ପାନୀ “ଏମ୍ ଏସ୍ କୋଡ଼ ତନ୍ତ୍ର ଟେକ ସାଲ୍ୟୁସନ”କୁ ଏହି କାର୍ଯ୍ୟ ହସ୍ତାନ୍ତର କରିଛି।

 ମହାସଂଘ ଦର୍ଶାଇଛି ଯେ, ୨୦୨୫ ଡିସେମ୍ବର ମାସରେ ସିଏଚ୍‌ଏସ୍‌ଇ ଦ୍ୱାରା ଆହୂତ ଟେଣ୍ଡରରେ ୧୨ଟି ସଂସ୍ଥା ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ କୋଏମ୍ପ୍ଟ ଏଡୁଟେକ୍ ଓ ମାଗ୍ନେଟିକ ଇନ୍ଫୋଟେକ ଯୋଗ୍ୟ ବିବେଚିତ ହୋଇଥିଲେ। ପରୀକ୍ଷା ପରିଚାଳନା ପାଇଁ ସର୍ବନିମ୍ନ ୧୫ ବର୍ଷର ଅଭିଜ୍ଞତା ଆବଶ୍ୟକ ହେଉଥିବା ବେଳେ ୨୦୧୯ରେ ଗଠିତ ମାତ୍ର ୬ ବର୍ଷର ଅଭିଜ୍ଞତା ଥିବା ଏହି ସଂସ୍ଥାକୁ କେଉଁ ଉଦ୍ଦେଶ୍ୟରେ ଏବଂ କାହା ପ୍ରରୋଚନାରେ ଓଡ଼ିଶାରେ ସୁରକ୍ଷା ଦିଆଯାଉଛି ବୋଲି ମହାସଂଘ ପ୍ରଶ୍ନ କରିଛି। ଜଣେ ଛାତ୍ର ୧୦୦ ନମ୍ବରରୁ ୧୦୨ ନମ୍ବର ପାଇବା ଏହି ଗୁରୁତର ମୂଲ୍ୟାୟନ ତ୍ରୁଟିର ଜ୍ୱଳନ୍ତ ଉଦାହରଣ ଏବଂ ଏଭଳି ହଜାର ହଜାର ଛାତ୍ରଛାତ୍ରୀ ଏବେ ବିଭ୍ରାଟର ଶିକାର ହୋଇଛନ୍ତି।

ଅନଶନ ଚାଲୁଥିବା ସମୟରେ ମହାସଂଘର ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ମହାସଚିବ ଅଶୋକ ପାଇକରାୟ ଏବଂ ସାଧାରଣ ସମ୍ପାଦକ ସତ୍ୟଜିତ ଦାସଙ୍କୁ ନେଇ ଗଠିତ ଏକ ପ୍ରତିନିଧି ମଣ୍ଡଳୀ ପରିଷଦର ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘ ଆଲୋଚନା ପରେ ପରିଷଦ ପକ୍ଷରୁ ଏହି ଘଟଣାର ତୁରନ୍ତ ଏକ ସ୍ୱତନ୍ତ୍ର ତଦନ୍ତ ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ସ୍ୱତନ୍ତ୍ର ତଦନ୍ତ ପ୍ରକ୍ରିୟାରେ ଓଡ଼ିଶା ଅଭିଭାବକ ମହାସଂଘକୁ ସାମିଲ କରାଯିବା ସହ ସେମାନଙ୍କ ପରାମର୍ଶ ଅନୁଯାୟୀ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଛନ୍ତି।

ଆଜିର ଏହି ଆମରଣ ଅନଶନ କାର୍ଯ୍ୟକ୍ରମରେ ପଦ୍ମନାଭ ସାହୁ, ଅରୁଣ ସ୍ୱାଇଁ, କଳ୍ପନା ସାହୁ, ବିମଲ ଜେନା, ବାବୁଲି ସୁବ୍ରତ ସାହୁ, ଶଙ୍କର୍ଷଣ ବାରିକ, ଲଲାଟ ଜେନା, ବାବା ଶଙ୍କର ପ୍ରସାଦ, ଅମିତ ଦାସ ଓ ବିଭୁତି ବିଶ୍ୱାଳଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଅଭିଭାବକ ଯୋଗ ଦେଇ ନିଜର ଆକ୍ରୋଶ ପ୍ରକାଶ କରିଥିଲେ।

Related Articles

Back to top button