“ବ୍ୟକ୍ତି, ସମାଜ ଓ ପରିବେଶ ପରସ୍ପର ପରିପୂରକ, ଏହାର ସନ୍ତୁଳନ ବଜାୟ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ” – ଗଣେଶ ରାମ ସିଂଖୁଣ୍ଟିଆ

ଭୁବନେଶ୍ବର, ୦୫/୦୬/୨୦୨୬: ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଆଜି ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟରଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ-୨୦୨୬ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ମୂଳ ବିଷୟବସ୍ତୁ “ପ୍ରକୃତିରୁ ପ୍ରେରଣା-ଜଳବାୟୁ ପାଇଁ, ଆମ ଭବିଷ୍ୟତ ପାଇଁ” ରଖାଯାଇଥିଲା।
ଏହି ବିଶେଷ ଅବସରରେ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ପ୍ରଥମେ ବିଭାଗ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ପରିବେଶ ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ବିଭିନ୍ନ ସଂସ୍ଥା ଦ୍ବାରା ପ୍ରସ୍ତୁତ ଷ୍ଟଲଗୁଡ଼ିକ ପରିଦର୍ଶନ କରିଥିଲେ। ଏହା ପରେ ସଭାକକ୍ଷରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ମରଣ ପୂର୍ବକ ପୁଷ୍ପାର୍ଘ୍ୟ ଅର୍ପଣ, ପବିତ୍ର ବଟବୃକ୍ଷରେ ଜଳ ପ୍ରଦାନ ଏବଂ ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ପରିବେଷଣ ସହ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ରାଜ୍ୟର ଶ୍ରେଷ୍ଠ ତିନୋଟି ଇକୋ-କ୍ଲବକୁ ସମ୍ମାନିତ କରାଯିବା ସହ ବିଭାଗ ଦ୍ବାରା ପ୍ରସ୍ତୁତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକାଶନ ମଧ୍ଯ ଉନ୍ମୋଚିତ ହୋଇଥିଲା।
ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ନିଜ ଅଭିଭାଷଣରେ ପରିବେଶ ସନ୍ତୁଳନ ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ, ବ୍ୟଷ୍ଟି, ସମଷ୍ଟି, ସୃଷ୍ଟି ଓ ପରମେଷ୍ଟି— ଅର୍ଥାତ୍ ବ୍ୟକ୍ତି, ସମାଜ ଓ ପରିବେଶ ସବୁବେଳେ ପରସ୍ପର ପରିପୂରକ ଅଟନ୍ତି। ତେଣୁ ଏହାର ସନ୍ତୁଳନ ରକ୍ଷା କରିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ। ଆମର ପାରମ୍ପରିକ ଚାଷ ପଦ୍ଧତି ପରିବେଶ ସୁରକ୍ଷାରେ ବହୁତ ସହାୟକ ଥିଲା, ତେଣୁ ସେହି ମୂଳ ତତ୍ତ୍ୱକୁ ଆଧାର କରି ବର୍ତ୍ତମାନର ସମୟରେ ନୂତନ ପ୍ରଣାଳୀ ଆପଣାଇବା ଉଚିତ।
ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସେବାଧୀନ ନେତୃତ୍ୱରେ ରାଜ୍ୟ ସରକାର ଏକ ସବୁଜ, ସ୍ୱଚ୍ଛ ଓ ଜଳବାୟୁ-ସହନଶୀଳ ଓଡ଼ିଶା ଗଠନ କରିବା ପାଇଁ ଦୃଢ଼ ସଙ୍କଳ୍ପବଦ୍ଧ। ବିଭାଗ ପକ୍ଷରୁ ବ୍ୟାପକ ଜନସଚେତନତା ଓ ସମୁଦାୟଭିତ୍ତିକ ପରିଚାଳନା ମାଧ୍ୟମରେ ପରିବେଶ ସୁରକ୍ଷାକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ପ୍ରୟାସ ଜାରି ରହିଛି। ଭବିଷ୍ୟତ ପିଢ଼ିକୁ ଏକ ସୁରକ୍ଷିତ ଓ ସୁସ୍ଥ ପରିବେଶ ଦେବା ସରକାରଙ୍କ ସର୍ବୋଚ୍ଚ ଲକ୍ଷ୍ୟ। ଏହି କ୍ରମରେ #NowForClimate ଅଭିଯାନ ମାଧ୍ୟମରେ ଜଳବାୟୁ-ଅନୁକୂଳ ଜୀବନଶୈଳୀ ଓ ସ୍ଥାୟୀ ପରିବେଶ ଅଭ୍ୟାସକୁ ପ୍ରୋତ୍ସାହିତ କରାଯାଉଛି।
ପରିବେଶ ସଂରକ୍ଷଣ ଓ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ତଥା ପ୍ରଶଂସନୀୟ ଅବଦାନ ପାଇଁ ଚଳିତ ବର୍ଷ ରାଜ୍ୟର ୨୦୫ଟି ଅନୁଷ୍ଠାନକୁ “ପ୍ରକୃତି ମିତ୍ର” ଏବଂ ୨୦୭ ଜଣ ବିଶେଷ ବ୍ୟକ୍ତିଙ୍କୁ “ପ୍ରକୃତି ବନ୍ଧୁ” ସମ୍ମାନରେ ସମ୍ମାନିତ କରାଯାଇଛି। ସମସ୍ତ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ପ୍ରତ୍ୟେକ ନାଗରିକଙ୍କୁ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇ ଏହି ମହତ୍ ସବୁଜ ଆନ୍ଦୋଳନରେ ସାମିଲ ହେବାକୁ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
ଏହି ଭବ୍ୟ କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଡ. କେ. ମୁରୁଗେସନ ଏବଂ ବିଭାଗୀୟ ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ କେ. ଏସ. ପ୍ରଦୀପ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହା ସହିତ ବିଭିନ୍ନ ସରକାରୀ ବିଭାଗର ବରିଷ୍ଠ ପଦାଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିନିଧି, ଇକୋ-କ୍ଲବର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଏବଂ ବହୁ ପରିବେଶବିତ୍ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।




