
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ନରେନ୍ଦ୍ର ମୋଦୀ ହେବେ ସ୍ୱାଧୀନ ଭାରତର ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ । ୨୦୨୬ ଜୁନ୍ ୧୦ରେ ଏହି ରେକର୍ଡ କରିବେ ମୋଦୀ । ୨୦୧୪ ମେ ୨୬ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଶପଥ ନେଇଥିଲେ । ସେବେ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ଧରି ସେ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସର୍ବାଧିକ ସମୟ ପ୍ରଧାନମନ୍ତ୍ରୀ ରହିବା ରେକର୍ଡ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ନାମରେ ରହିଛି । କିନ୍ତୁ ଏହି ରେକର୍ଡ ଏବେ ଭାଙ୍ଗିବାକୁ ଯାଉଛି ।
ନେହେରୁ ୧୯୫୨ ମେ ୧୩ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ୧୯୬୪ ମେ ୨୭ରେ ମୃତ୍ୟୁ ପର୍ଯ୍ୟନ୍ତ ସମୁଦାୟ ୪ ହଜାର ୩୯୮ ଦିନ ଧରି କାର୍ଯ୍ୟ କରିଥିଲେ। ଯାହାକୁ ଅତିକ୍ରମ କରିବାକୁ ଯାଉଛନ୍ତି ମୋଦୀ । ଜୁନ୍ ୧୦ରେ ମୋଦୀ ୪ ହଜାର ୩୯୯ ଦିନ କାର୍ଯ୍ୟକାଳ ପୂରଣ କରି ନୂଆ ରେକର୍ଡ କରିବା ଦିଗରେ ଅଗ୍ରସର ହେଉଛନ୍ତି । ପୂର୍ବରୁ ୨୫ ଜୁଲାଇ, ୨୦୨୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦୀର୍ଘତମ ନିରବଚ୍ଛିନ୍ନ କାର୍ଯ୍ୟକାଳକୁ ପଛରେ ପକାଇ ଦେଇଥିଲେ ମୋଦୀ । ୧୯୬୬ ଜାନୁଆରୀ ୨୪ରୁ ୧୯୭୭ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ମୋଟ୍ ୪ ହଜାର ୦୭୭ ଦିନ ଧରି ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ ଇନ୍ଦିରା ।




