Uncategorized

ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଲେ ୫ ନୂଆ ବିଚାରପତି; ସଂଖ୍ୟା ୩୭କୁ ବୃଦ୍ଧି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ମଙ୍ଗଳବାର ୫ ଜଣ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ସର୍ବୋଚ୍ଚ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚିଛି, ଯାହାକି ସଂଶୋଧିତ ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ମାତ୍ର ଗୋଟିଏ କମ୍‌। ଶପଥ ନେଇଥିବା ନୂଆ ବିଚାରପତିମାନେ ହେଲେ: ଭେଙ୍କିତା ସୁବ୍ରମଣି ମୋହନ (ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ), ଜଷ୍ଟିସ୍‌ ଶ୍ରୀ ଚନ୍ଦ୍ରଶେଖର (ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି), ଜଷ୍ଟିସ୍‌ ଶିଲ ନାଗୁ (ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି), ଜଷ୍ଟିସ୍‌ ସଞ୍ଜୀବ ସଚଦେବା (ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି), ଜଷ୍ଟିସ୍‌ ଅରୁନ୍‌ ପାଲ୍ଲି (ଜମ୍ମୁ-କଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି) ପୂର୍ବରୁ ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟର ମୋଟ ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୩୪ ଥିଲା। ତେବେ ଗତ ମାସରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ବଳରେ ଆଇନରେ ସଂଶୋଧନ କରି ଏହି ସଂଖ୍ୟାକୁ ୩୮କୁ ବୃଦ୍ଧି କରିଥିଲେ। ଏହି ସଂଶୋଧନ ପୂର୍ବରୁ କୋର୍ଟରେ ୨ଟି ପଦବୀ ଖାଲି ଥିବାବେଳେ, ପଦବୀ ସଂଖ୍ୟା ବଢ଼ିବା ପରେ ଖାଲି ପଦବୀ ସଂଖ୍ୟା ୬କୁ ବୃଦ୍ଧି ପାଇଥିଲା। ଏବେ ୫ ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ସୁପ୍ରିମକୋର୍ଟରେ ଆଉ ମାତ୍ର ଗୋଟିଏ ପଦବୀ ଖାଲି ରହିଛି। ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ୍‌ ଏହି ୫ ଜଣଙ୍କ ନାମ ସୁପାରିସ କରିଥିବାବେଳେ ମାତ୍ର ୪ ଦିନ ମଧ୍ୟରେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

Related Articles

Back to top button