
ଭୁବନେଶ୍ବର,ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ଅଧୀନରେ ଥିବା, ଖଣି ଓ ଭୂତତ୍ତ୍ବ ନିର୍ଦେଶାଳୟ ପକ୍ଷରୁ, ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ବରଗଡ଼ ଜିଲାରେ ଅବସ୍ଥିତ ଏହି ଖଣି ବ୍ଲକଗୁଡ଼ିକର ଅନଲାଇନ ବା ଇ-ନିଲାମ ହେବ। ଏଥିପାଇଁ ଆସନ୍ତା ଜୁଲାଇ ୧୩ ସୁଦ୍ଧା ବିଡ୍ ଦାଖଲ କରିବାକୁ, ସମୟସୀମା ଧାର୍ଯ୍ୟ ହୋଇଛି। ୮ଟି ବ୍ଲକକୁ ‘ଖଣି ଲିଜ୍’ ଏବଂ ୩ଟି ବକ୍ସାଇଟ୍ ବ୍ଲକକୁ ‘କମ୍ପୋଜିଟ୍ ଲାଇସେନ୍ସ’ ପ୍ରଦାନ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଚଳିତଥର ରାଜ୍ୟ ସରକାର କର୍ଲାପାଟ ବକ୍ସାଇଟ୍ ଖଣି ବ୍ଲକକୁ ନିଲାମ ପାଇଁ ପଦକ୍ଷେପ ନେଇଛନ୍ତି। ସେହିପରି ରାୟଗଡ଼ା ଜିଲାର ନୁନାପାଇମାଲି ବକ୍ସାଇଟ୍ ବ୍ଲକ ମଧ୍ୟ ନିଲାମ ହେବ। ବକ୍ସାଇଟ୍, ଲୁହାପଥର, ମାଙ୍ଗାନିଜ୍, ଆଲୁମିନିୟମଯୁକ୍ତ ଲାଟେରାଇଟ୍ ଓ ଚୂନପଥର ଭଳି ଖଣିଜ ସମ୍ପଦ ଗଚ୍ଛିତ ଥିବା ୫ଟି ଜିଲାର ୧୧ଟି ବୃହତ୍ ଖଣିଜ ବ୍ଲକ ନିଲାମ ହେବ।



