ସୌମ୍ୟ ମୃତ୍ୟୁ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ଗିରଫଦାରୀ ସଂଖ୍ୟା ୧୬କୁ ବୃଦ୍ଧି


ଭୁବନେଶ୍ୱର: ବାଲିଅନ୍ତା ଅଞ୍ଚଳର ବହୁ ଚର୍ଚ୍ଚିତ ଜିଆରପି (GRP) କନେଷ୍ଟବଳ ସୌମ୍ୟରଞ୍ଜନ ସାହୁ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନର ଫେରାର୍ ପରେ ଶେଷରେ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ବିନୋଦ କୁମାର ବେହେରାକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅଞ୍ଚଳରୁ ତାକୁ କାବୁ କରାଯାଇଛି। ବିନୋଦର ଗିରଫଦାରୀ ସହ ଏହି ହତ୍ୟା ମାମଲାରେ ମୋଟ ଗିରଫ ସଂଖ୍ୟା ୧୬ରେ ପହଞ୍ଚିଛି।ଉଲ୍ଲେଖଯୋଗ୍ୟ ଯେ, ଗତ ମେ ୭ ତାରିଖରେ ବାଲିଅନ୍ତା ଥାନା ଅଞ୍ଚଳରେ ଜିଆରପି କନେଷ୍ଟବଳ ସୌମ୍ୟ ସାହୁଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ନିର୍ମମ ହତ୍ୟା କରାଯାଇଥିଲା। ଘଟଣାର ଗମ୍ଭୀରତା ଏବଂ ସଙ୍ଗୀନ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ପର୍ଯ୍ୟାୟକ୍ରମେ ୧୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ମଧ୍ୟ ମୁଖ୍ୟ ସୂତ୍ରଧର ବିନୋଦ ପୋଲିସ ଆଖିରେ ଧୂଳି ଦେଇ ଫେରାର୍ ରହିଥିଲା। ବିନୋଦ କେନ୍ଦ୍ରାପଡ଼ାର ଇନ୍ଦୁପୁର ଅଞ୍ଚଳରେ ଏକ ଗୁପ୍ତ ଆସ୍ଥାନରେ ଲୁଚି ରହିଥିବା ନେଇ କ୍ରାଇମବ୍ରାଞ୍ଚ ଗୁଇନ୍ଦା ସୂଚନା ପାଇଥିଲା। ଏହାପରେ ଏକ ସ୍ୱତନ୍ତ୍ର ଟିମ୍ ପୂର୍ବ ପ୍ରସ୍ତୁତ ଯୋଜନା ମୁତାବକ ସେଠାରେ ଚଢ଼ାଉ କରି ବିନୋଦକୁ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତକୁ ଭୁବନେଶ୍ୱର ଅଣାଯାଉଛି। ମୁଖ୍ୟ ଅଭିଯୁକ୍ତ ବିନୋଦର ନିଜ ଘର ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ବୋଲି ଜଣାପଡ଼ିଛି।




