
ଭୁବନେଶ୍ୱର,ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ୮ଟି ବିଷୟରେ, ରହିଥିବା ସ୍ବୟଂ ଆର୍ଥିକ ପାଠ୍ୟକ୍ରମ କୁନିୟମିତ କରାଯାଇ ନଥିବାରୁ ବିଦ୍ୟାର୍ଥୀମାନେ ଅଧିକ କୋର୍ସ ଫି ଓ ବିକାଶ ଦେୟ ଦେବା ସହିତ ପାଠପଢ଼ା ନେଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ୮ଟି ବିଷୟର ଏସଏଫସି ପାଠ୍ୟକ୍ରମ ହେଲା-ବାଣିଜ୍ୟ, ଇତିହାସ, ଇଂରାଜୀ, ଭୂତତ୍ତ୍ୱ, ରାଜନୀତି ବିଜ୍ଞାନ, ରିମୋଟ୍ ସେନସିଂ ଏଣ୍ଡ ଗ୍ଲୋବାଲ ଇନଫରମେସନ ସିଷ୍ଟମ, ଯୋଗ ଏଣ୍ଡ ନେଚୁରୋପାଥି ଏବଂ ସଂସ୍କୃତ। ଏହି ଏସଏଫସି ପାଠ୍ୟକ୍ରମକୁ ନିୟମିତ କରାଯିବା ସହିତ, ସେହି ଅନୁଯାୟୀ ଅଧ୍ୟାପକ ଓ ଅଣଶିକ୍ଷକ ପଦ ସୃଷ୍ଟି କରାଯିବାର, ଆବଶ୍ୟକତା ରହିଛି। ସେହିପରି ରସାୟନ ବିଜ୍ଞାନ ଏବଂ ପ୍ରାଣୀ ବିଜ୍ଞାନ ବିଷୟ ପାଠ୍ୟକ୍ରମରେ ମଞ୍ଜୁରୀପ୍ରାପ୍ତ ୬ଟି ପଦ ମଧ୍ୟରୁ ୫ଟି ପଦ; ସାନ୍ତାଳୀ ବିଷୟ ପାଠ୍ୟକ୍ରମରେ ମଞ୍ଜୁରୀପ୍ରପ୍ତ ୫ଟି ପଦ ମଧ୍ୟରୁ ୪ଟି; ଓଡ଼ିଆ ବିଷୟ ପାଠ୍ୟକ୍ରମରେ ମଞ୍ଜୁରୀପ୍ରାପ୍ତ ୩ ପଦ ମଧ୍ୟରୁ ୨ଟି; ଅର୍ଥନୀତି ଏବଂ କଂପ୍ୟୁଟର ସାଇନ୍ସ ଏମଏସସି ବିଷୟ ପାଠ୍ୟକ୍ରମରେ ମଞ୍ଜୁରୀପ୍ରାପ୍ତ ୬ଟି ପଦ ମଧ୍ୟରୁ ୪ଟି, ଉଦ୍ଭିଦ ବିଜ୍ଞାନ, କମ୍ପ୍ୟୁଟର ଏପ୍ଲିକେସନ ଏବଂ ବନ୍ୟପ୍ରାଣୀ ବିବିଧତା ବିଷୟ ପାଠ୍ୟକ୍ରମରେ ମଞ୍ଜୁରୀପ୍ରାପ୍ତ ୬ ପଦ ମଧ୍ୟରୁ ୩ଟି କରି ପଦ, ବାୟୋଟେକ୍ନୋଲୋଜି ଏବଂ ନୃତତ୍ତ୍ବ ଓ ଜନଜାତି ଶିକ୍ଷା ବିଷୟ ପାଠ୍ୟକ୍ରମରେ ମଞ୍ଜୁରୀପ୍ରାପ୍ତ ୬ଟି ପଦରୁ ୨ଟି, ପଦାର୍ଥ ବିଜ୍ଞାନ ବିଷୟ ପାଠ୍ୟକ୍ରମରେ, ମଞ୍ଜୁରୀପ୍ରାପ୍ତ ୬ଟି ବିଷୟ ମଧ୍ୟରୁ ଗୋଟିଏ ପଦ ଖାଲି ରହିଛି।




