କଳାରାହାଙ୍ଗରେ ବୁଲିଲା ବିଡିଏର ବୁଲଡୋଜର: ଦା, କାତି, ପନିକି ଧରି ଉଛେଦକୁ ମହିଳାଙ୍କ ବିରୋଧ


ଭୁବନେଶ୍ୱର: ରାଜଧାନୀରେ ପୁଣି ଥରେ ପ୍ରଶାସନର କଡ଼ା ଆଭିମୁଖ୍ୟ ପ୍ରକାଶ ପାଇଛି ଏବଂ ବେଆଇନ ନିର୍ମାଣ ଉପରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ବୁଲଡୋଜର ଚାଲିଛି। ସହରକୁ ଜବରଦଖଲ ମୁକ୍ତ କରିବା ପାଇଁ ଏକ ବଡ଼ ଧରଣର ବେଆଇନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି। ପଟିଆ କଳାରାହାଙ୍ଗ ଅଞ୍ଚଳରେ ଥିବା ସରକାରୀ ଜମିକୁ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଯେଉଁଠାରେ ଦୀର୍ଘ ଦିନ ଧରି ଗଢି ଉଠିଥିବା ବେଆଇନ ଘର ଏବଂ ଦୋକାନ ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ମାଟିରେ ମିଶାଇ ଦିଆଯାଉଛି। ବିଶେଷ କରି ସ୍ଥାନୀୟ ରେଗେଡି ବସ୍ତି ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ଉପରେ ଏହି ବୁଲଡୋଜର ଚାଲିଥିବା ଦେଖିବାକୁ ମିଳିଛି। ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମନିଟରିଂ କମିଟିରେ ସାମିଲ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯେପରିକି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଭୁବନେଶ୍ୱର ମହାନଗର ନିଗମ ଏବଂ ସାଧାରଣ ପ୍ରଶାସନ ବିଭାଗର ମିଳିତ ଆନୁକୂଲ୍ୟରେ ଏବଂ ସମନ୍ୱୟରେ ଏହି ବିଶାଳ ଉଚ୍ଛେଦ ପ୍ରକ୍ରିୟା ସଫଳତାର ସହ ଆରମ୍ଭ କରାଯାଇଛି। ଆଜି ମଙ୍ଗଳବାର ଦିନ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନ ସମୟରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ୫୦ରୁ ଊର୍ଦ୍ଧ୍ବ ବେଆଇନ ଦୋକାନ ଗୃହ ଏବଂ ବାସଗୃହକୁ ସମ୍ପୂର୍ଣ୍ଣ ଭାବେ ଧୂଳିସାତ କରାଯାଉଛି। ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲ ଜମି ଶ୍ରେଣୀଭୁକ୍ତ ପ୍ରାୟ ୬ ଏକର ପରିମିତ ସରକାରୀ ଜାଗାରେ ଦୀର୍ଘ ବର୍ଷ ହେବ ବେଆଇନ ଭାବେ ଅନେକ ପରିବାର ଘର ଓ ଦୋକାନ ନିର୍ମାଣ କରି ରହିଆସୁଥିଲେ। ସେପଟେ କଳାରାହାଙ୍ଗ ଅଞ୍ଚଳରେ ହେଉଥିବା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଏହି ସରକାରୀ ଉଛେଦ କାର୍ଯ୍ୟକୁ ସ୍ଥାନୀୟ ଲୋକଙ୍କ ଦ୍ବାରା ତୀବ୍ର ବିରୋଧ କରାଯିବା ଫଳରେ ସମଗ୍ର ଅଞ୍ଚଳରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି। ନିଜର ଦୀର୍ଘ ଦିନର ବସତି ଏବଂ ରୋଜଗାରର ପନ୍ଥା ଉଜୁଡ଼ି ଯାଉଥିବା ଦେଖି ଏହି ଦୋକାନ ଓ ଘର ଉଛେଦକୁ ଘୋର ବିରୋଧ କରି ସାମ୍ନାରେ ବସ୍ତିର ଶତାଧିକ ପୁରୁଷ ଓ ମହିଳା ଧାରଣାରେ ବସିଛନ୍ତି। ବିଶେଷ କରି ବସ୍ତିର ମହିଳାମାନେ ଅତ୍ୟନ୍ତ ଉଗ୍ର ରୂପ ଧାରଣ କରି ନିଜ ନିଜ ହାତରେ ଦା, କାତି, ପନିକି ଭଳି ମାରାତ୍ମକ ଘରୋଇ ଅସ୍ତ୍ରଶସ୍ତ୍ର ଧରି ପ୍ରଶାସନିକ ଅଧିକାରୀ ଏବଂ ଗାଡ଼ି ଗୁଡ଼ିକୁ ଜଗି ବସି ରହିଛନ୍ତି। ବସ୍ତି ବାସିନ୍ଦାଙ୍କ ଏଭଳି ଅପ୍ରତ୍ୟାଶିତ ଓ ତୀବ୍ର ବିରୋଧକୁ ନେଇ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ବାହିନୀ ଏବଂ ରେଗେଡି ବସ୍ତି ବାସିନ୍ଦାଙ୍କ ମଧ୍ୟରେ ସିଧାସଳଖ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ଫଳରେ ସମ୍ପୂର୍ଣ୍ଣ ଉଛେଦ ସ୍ଥଳଟି ଏକ ରଣକ୍ଷେତ୍ରରେ ପରିଣତ ହୋଇଛି। ସେଠାରେ ଉପସ୍ଥିତ ଥିବା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଭୁବନେଶ୍ୱର ମହାନଗର ନିଗମ, ସାଧାରଣ ପ୍ରଶାସନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ପୋଲିସ ପ୍ରଶାସନ ମିଳିତ ଭାବେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଶାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ବର୍ଷ ବର୍ଷ ଧରି ସେଠାରେ ବସବାସ କରି ରହୁଥିବା ଆନ୍ଦୋଳନକାରୀ ଲୋକମାନେ କୌଣସି ପରିସ୍ଥିତିରେ ବି ବସ୍ତି ଛାଡ଼ିକି ଯିବେନି ବୋଲି ଜିଦ୍ରେ ଅଡ଼ି ବସିଛନ୍ତି। ଆମର ପିଢ଼ି ପରେ ପିଢ଼ି ଆମେ ସମସ୍ତେ ଏହି ସ୍ଥାନରେ ହିଁ ଜନ୍ମ ହୋଇ ରହିଆସୁଥିବା ବେଳେ ହଠାତ ଏହି ଜାଗା ଛାଡ଼ି ଆମେ ପିଲାପିଲିଙ୍କୁ ଧରି କୁଆଡେ ଯିବୁ ବୋଲି ସେମାନେ ପ୍ରଶାସନକୁ ଓଲଟା ପ୍ରଶ୍ନ କରିଛନ୍ତି। ଏହା ସହିତ ନିଜର ଆଶ୍ରୟସ୍ଥଳୀକୁ ସେମାନେ କାହାକୁ ବି ଭାଙ୍ଗିବାକୁ ଦେବୁ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିବା ସହ ମହିଳାମାନେ ଦା, ପନୀକି, କଟୁରୀ ଆଦି ପ୍ରଦର୍ଶନ କରି ନିଜର ପ୍ରତିରୋଧ ଜାରି ରଖିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଏପ୍ରିଲ ମାସ ୧୭ ତାରିଖରେ ମଧ୍ୟ ଭୁବନେଶ୍ୱର ଉପକଣ୍ଠରେ ଥିବା ଭରତପୁର ଶ୍ୟାମପୁର ମୌଜାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ଏକ ବଡ଼ ଧରଣର ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଥିଲା। ଯେଉଁ ସ୍ପେଶାଲ ଅଭିଯାନରେ ପ୍ରାୟ ୬୮ ଏକର ପରିମିତ ବିଶାଳ ସରକାରୀ ଜମିକୁ ଜବରଦଖଲକାରୀଙ୍କ କବଳରୁ ସମ୍ପୂର୍ଣ୍ଣ ମୁକ୍ତ କରିଥିଲା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ। ସେହି ସମୟର ସେହି ବୃହତ ଉଛେଦ ପ୍ରକ୍ରିୟାରେ ପ୍ରଶାସନ ପକ୍ଷରୁ ୧୦ରୁ ଅଧିକ ବଡ଼ ବୁଲଡୋଜର ଖନନକାରୀ ଯନ୍ତ୍ର ନିୟୋଜିତ କରାଯାଇଥିବା ବେଳେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କର ପ୍ରାୟ ୧୫୦ ଜଣିଆ ଏକ ସୁଶିକ୍ଷିତ ଉଛେଦକାରୀ ଦଳ ମଧ୍ୟ ସେହି ସ୍ଥଳରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇ କାର୍ଯ୍ୟ କରିଥିଲେ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଇତିହାସରେ ହୋଇଥିବା ସେହି ସବୁଠାରୁ ବଡ଼ ଜବରଦଖଲ ଉଛେଦ ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ପାଇଁ ଏବଂ ଆଇନଶୃଙ୍ଖଳା ରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ସେହି ସମଗ୍ର ଅଭିଯାନର ତଦାରଖ ଏବଂ ସୁରକ୍ଷା ବ୍ୟବସ୍ଥା ପାଇଁ ୨୦ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସେଠାରେ ସାମିଲ ହୋଇଥିଲେ। ସେତେବେଳେ ମଧ୍ୟ ସେହି ସରକାରୀ ଉଚ୍ଛେଦକୁ ନେଇ ସ୍ଥାନୀୟ ସମ୍ପୃକ୍ତ ଅଂଚଳରେ ବ୍ୟାପକ ଜନ ଉତ୍ତେଜନା ଏବଂ ଅସନ୍ତୋଷ ଦେଖା ଦେଇଥିଲା, ଯାହାକୁ ପୋଲିସ ପ୍ରଶାସନ କଷ୍ଟେମଷ୍ଟେ ନିୟନ୍ତ୍ରଣକୁ ଆଣିଥିଲା। ପ୍ରଶାସନର ଏହି କ୍ରମାଗତ ଅଭିଯାନ ସହରର ସରକାରୀ ଜମିକୁ ସୁରକ୍ଷିତ ରଖିବା ପାଇଁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।




