
ଭୁବନେଶ୍ୱର ,ସୋମବାର ରାତିରେ ଯାଜପୁରସ୍ଥିତ ଡାଲମିଆ କମ୍ପାନୀ ଡିପୋରୁ, ସିମେଣ୍ଟ ନେଇ ଏକ ଟ୍ରକ ବାଲେଶ୍ୱର ଅଭିମୁଖେ ଯାଉଥିଲା। ରାତି ୨ଟା ୩୦ରେ ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥର ଚପରପଦାଠାରେ ଏହି ସିମେଣ୍ଟ ବୋଝେଇ ଟ୍ରକ ପଛକୁ ସମ୍ଭ୍ରାନ୍ତ ଡେଲିଭରି କମ୍ପାନୀର ପାର୍ସଲ ଟ୍ରକ ଧକ୍କା ଦେଇଥିଲା। ଫଳରେ ସିମେଣ୍ଟ ଟ୍ରକ ରାଜପଥ ପାର୍ଶ୍ୱରେ ଥିବା ଏକ ଚା’ ଦୋକାନକୁ ଧକ୍କା ଦେଇଥିଲା। ଚା ଦୋକାନ ଭିତରେ ଥିବା ମାଲିକାଣୀ, ସ୍ଥାନୀୟ ଚପରପଦା ଗ୍ରାମର ମନୋରମା ପଣ୍ଡାଙ୍କୁ ସିମେଣ୍ଟ ଟ୍ରକ ଚାରି ମିଟରରୁ, ଅଧିକ ବାଟ ଗୁମୁଟି ସହିତ, ଘୋଷାରି ନେଇଥିଲା। ମନୋରମା ଅଳ୍ପକେ ବର୍ତ୍ତିଯାଇଛନ୍ତି। ଅନ୍ୟପକ୍ଷରେ ପାର୍ସଲ ଟ୍ରକର ହେଲପର ଓ ଚାଳକ ସିଟ ନିକଟରେ, ପୁଳା ପୁଳା ଚୋରା ଗଞ୍ଜେଇ ପ୍ୟାକେଟ ଥିବା ଦେଖାଯାଇଥିଲା। ଖବର ପାଇ ସୋର ଥାନା ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି, ପାର୍ସଲ ଟ୍ରକରୁ ୨୨ଟି ପ୍ୟାକେଟରେ ଥିବା ୪୦ କିଲୋ ୪୫ ଗ୍ରାମ ଗଞ୍ଜେଇ, ଜବତ କରିଥିଲା। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପାର୍ସଲ ଟ୍ରକରେ ଗଞ୍ଜେଇ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିବା, ଜଣାପଡ଼ିଛି।




