
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଶ୍ରୀଲଙ୍କା ସ୍ଥିତ ଗଲ୍ଫ ଅଫ୍ ମନାରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେଇପାରେ। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସହ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ମେ’ ୧୧ ରୁ ୧୩ ମଧ୍ୟରେ ଏହି ଲଘୁଚାପ କ୍ଷେତ୍ରଟି ସକ୍ରିୟ ହେବ। ତେବେ ଏହା ଭବିଷ୍ୟତରେ ବାତ୍ୟାର ରୂପ ନେବ କି ନାହିଁ, ସେ ନେଇ ଆସନ୍ତା ୧୩ ତାରିଖ ସୁଦ୍ଧା ଚିତ୍ର ସ୍ପଷ୍ଟ ହେବ। ଏହି ସିଷ୍ଟମ ପ୍ରଭାବରେ ଭାରତର ୧୫ରୁ ଅଧିକ ରାଜ୍ୟରେ ପ୍ରବଳ ବର୍ଷା ସହ ୭୫ ରୁ ୮୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆଜି ଓଡ଼ିଶାର ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ବିଶେଷ ପ୍ରଭାବ ଦେଖିବାକୁ ମିଳିବ। ଏହି ଜିଲ୍ଲା ଗୁଡ଼ିକରେ ୪୦ ରୁ ୫୦ କିମି ବେଗରେ ପବନ ବହିବା ସହ ଘଡ଼ଘଡ଼ି ବର୍ଷା ହୋଇପାରେ। ଆସନ୍ତା ମେ’ ୧୫ ପର୍ଯ୍ୟନ୍ତ ରାଜ୍ୟରେ ଏହି ପ୍ରଭାବ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଆସନ୍ତାକାଲି ପାଇଁ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୧୫ଟି ଜିଲ୍ଲାକୁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି। ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ।




