Uncategorized

ରାଜ୍ୟରେ ପ୍ରତିଷ୍ଠା ହେବ ୭ଟି ମହିଳା ଫାଷ୍ଟଟ୍ରାକ୍ ଓ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ

ଭୁବନେଶ୍ୱର: ବଦଳୁଥିବା ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗାମୀ ୫୦ ବର୍ଷ ପାଇଁ ଏକ ଦୀର୍ଘକାଳୀନ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି। ଆଜି ଆଇନ ବିଭାଗ ଓ ଜାତିସଂଘ ଜନସଂଖ୍ୟା ପାଣ୍ଠି (UNFPA)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ଜନସାଂଖ୍ୟିକ ପରିବର୍ତ୍ତନ ଓ ଆଇନ ବ୍ୟବସ୍ଥା’ ଶୀର୍ଷକ କର୍ମଶାଳାରେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ମହିଳାମାନଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ରାଜ୍ୟରେ ୭ଟି ନୂତନ ମହିଳା ଫାଷ୍ଟଟ୍ରାକ୍ କୋର୍ଟ ଏବଂ ବଢୁଥିବା ସାଇବର ଅପରାଧର ମୁକାବିଲା ତଥା ତୁରନ୍ତ ଦଣ୍ଡବିଧାନ ନିମିତ୍ତ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପ୍ରତିଷ୍ଠା କରିବାକୁ ସରକାର ବିଚାର କରୁଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟର ୫୦ ପ୍ରତିଶତରୁ ଅଧିକ ଜନସଂଖ୍ୟା ଯୁବବର୍ଗର। କିନ୍ତୁ ଆଗାମୀ ଦିନରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଯାଉଛି। ତେଣୁ ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଲକ୍ଷ୍ୟକୁ ସଫଳ କରିବାକୁ ହେଲେ ବିଧି ବ୍ୟବସ୍ଥାରେ ବ୍ୟାପକ ସୁଧାର ଆବଶ୍ୟକ।  ୬୨ଟି ଜନଜାତି ସମୁଦାୟ ଏବଂ ୧୩ଟି ପିଭିଟିଜି (PVTG) ବର୍ଗଙ୍କୁ ଯୋଜନାର ମୁଖ୍ୟ ସ୍ରୋତରେ ସାମିଲ କରାଯିବ। ଗ୍ରାମାଞ୍ଚଳର ଲୋକଙ୍କୁ ସ୍ଥାନୀୟ ଭାଷାରେ ଆଇନଗତ ସଚେତନତା ଯୋଗାଇ ଦେବା ସହ ଯୁବକୈନ୍ଦ୍ରିକ ନୀତି ପ୍ରଣୟନ ଉପରେ ଗୁରୁତ୍ୱ ଦିଆଯାଉଛି।

Related Articles

Back to top button