
ଭୁବନେଶ୍ୱର,ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ଜଳୀୟବାଷ୍ପ ବାୟୁ ପ୍ରବେଶ କରୁଛି। ଏହାର ପ୍ରଭାବରେ କାଳବୈଶାଖୀ ହେଉଛି। ରାଜ୍ୟର ଅନେକ ଅଞ୍ଚଳରେ, ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହେଉଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ପୂର୍ବାପେକ୍ଷା ଗୁରୁବାରଠାରୁ କାଳବୈଶାଖୀ ହ୍ରାସ ପାଇବ, ହେଲେ କିଛି କିଛି ସ୍ଥାନରେ, ବିଜୁଳି ଘଡ଼ଘଡ଼ି ସହିତ ଝଡ଼ବର୍ଷା ହେବ। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବିକ୍ଷିପ୍ତ ଭାବେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ବଜ୍ରପାତ ସମୟରେ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ବେଗରେ ପବନ ବହିପାରେ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ, ଆର୍ଦ୍ରତା ଅଧିକ ରହିବ, ଯାହା ଫଳରେ ଗୁଳୁଗୁଳି ଅନୁଭୂତ ହୋଇପାରେ।ବଙ୍ଗୋପସାଗରରୁ ପ୍ରବେଶ କରୁଥିବା ଆର୍ଦ୍ର ପବନ ପ୍ରଭାବରେ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଶ୍ବସ୍ତି ମିଳିବ।ତାଳଚେରରେ ୪୦ ଡିଗ୍ରୀ ଛୁଇଁଛି। ଭୁବନେଶ୍ବରରେ ୩୦.୨ ଏବଂ କଟକରେ ୩୦.୪ଡିଗ୍ରୀ ରେକର୍ଡ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ, କମିପାରେ। ଅପରାହ୍ଣରେ ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଜିଲାରେ ୭୬.୨ ମି.ମି. ପର୍ଯ୍ୟନ୍ତ ବର୍ଷା ହୋଇଛି।




