Uncategorized

ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ନିର୍ମମ ହତ୍ୟା; ଘରକୁ ଫେରିବା ବେଳେ ଅତି ନିକଟରୁ ୪ ରାଉଣ୍ଡ ଗୁଳିମାଡ଼

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାର ଭୟାବହ ରୂପ ଦେଖିବାକୁ ମିଳିଛି। ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (PA) ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମଧ୍ୟମଗ୍ରାମ ଅନ୍ତର୍ଗତ ଦୋହାରିଆ ଅଞ୍ଚଳରେ ଏହି ରକ୍ତାକ୍ତ କାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ଚନ୍ଦ୍ରନାଥ କାର୍‌ରେ ଘରକୁ ଫେରୁଥିଲେ। ସେ ଡ୍ରାଇଭରଙ୍କ ପାଖ ସିଟ୍‌ରେ ବସିଥିବା ବେଳେ ମଧ୍ୟମଗ୍ରାମ ନିକଟସ୍ଥ ଏକ ବିରିୟାନି ଦୋକାନ ସମ୍ମୁଖରେ ଗାଡ଼ିଟି ଅଟକିଥିଲା। ଏହି ସମୟରେ ପୂର୍ବରୁ ସୁଯୋଗ ଅପେକ୍ଷାରେ ଥିବା ଦୁର୍ବୃତ୍ତମାନେ ଅତି ନିକଟରୁ ଚନ୍ଦ୍ରନାଥଙ୍କୁ ଟାର୍ଗେଟ୍ କରି ଗୁଳି ଚଳାଇଥିଲେ। ଚନ୍ଦ୍ରନାଥଙ୍କ ମୁଣ୍ଡକୁ ୪ ରାଉଣ୍ଡ ଗୁଳି କରାଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ଗାଡ଼ି ଚାଳକ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ମଧ୍ୟମଗ୍ରାମ ଏବଂ ବିମାନବନ୍ଦର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନିର୍ବାଚନ ସମୟରେ ଚନ୍ଦ୍ରନାଥ ସବୁବେଳେ ଶୁଭେନ୍ଦୁ ଅଧିକାରୀଙ୍କ ସହିତ ରହୁଥିଲେ। ଏହା ଏକ ଯୋଜନାବଦ୍ଧ ରାଜନୈତିକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Related Articles

Back to top button