କୋଟିଆରେ ଜନଗଣନାକୁ ନେଇ ଉତ୍ତେଜନା: ଆସନ୍ତାକାଲି ସ୍ଥିତି ସମୀକ୍ଷା କରିବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ


ଭୁବନେଶ୍ୱର: କୋଟିଆ ସୀମା ବିବାଦ ପୁଣି ଥରେ ମୁଣ୍ଡ ଟେକିଛି। ଚଳିତ ୨୦୨୬ ଜନଗଣନାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଟାଣପୋଟରା ଦେଖାଦେଇଥିବା ବେଳେ ସ୍ଥିତିର ଅନୁଧ୍ୟାନ ପାଇଁ ଆସନ୍ତାକାଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କୋଟିଆ ଗସ୍ତ କରିବେ। ସୂଚନା ଅନୁଯାୟୀ, କୋଟିଆ ଅଞ୍ଚଳରେ ଓଡ଼ିଶା ପକ୍ଷରୁ ଜନଗଣନା କାର୍ଯ୍ୟ ଜାରି ରହିଥିବା ବେଳେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର କିଛି ଅଧିକାରୀ ସେଠାରେ ପହଞ୍ଚି ଗ୍ରାମବାସୀଙ୍କୁ ସେମାନଙ୍କ ଜନଗଣନାରେ ସାମିଲ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସ୍ଥାନୀୟ ପ୍ରଶାସନ ଓ ସଚେତନ ଗ୍ରାମବାସୀ ଏହାକୁ ଜୋରଦାର ବିରୋଧ କରିବା ସହ ଆନ୍ଧ୍ର ଅଧିକାରୀଙ୍କୁ ସେଠାରୁ ତଡ଼ିପାର କରିଛନ୍ତି। ଏହି ଘଟଣା ପରେ ସୀମାନ୍ତରେ ଉତ୍ତେଜନା ପ୍ରକାଶ ପାଇଛି। ଜନଗଣନା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ସୀମା ସୁରକ୍ଷା ନେଇ ରାଜସ୍ୱ ମନ୍ତ୍ରୀ କୋଟିଆରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ। ରାଜ୍ୟ ସରକାର କୋଟିଆର ମାଲିକାନା ଓ ସୁରକ୍ଷାକୁ ନେଇ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।




