Uncategorized

ସିଜିମାଳି ବକ୍ସାଇଟ୍‌ ଖଣି ବିବାଦ: ନ୍ୟାୟିକ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ଭୁବନେଶ୍ବର: ସିଜିମାଳି ବକ୍ସାଇଟ୍‌ ଖଣି ପ୍ରକଳ୍ପକୁ ନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ ହୋଇଛି। ରାୟଗଡ଼ା ଜିଲାର କାନ୍ତାମାଳ ଅଞ୍ଚଳରେ ୨୦୨୬ ଏପ୍ରିଲ ୬ ମଧ୍ୟରାତ୍ରିରେ ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣକୁ ଚାଲେଞ୍ଜ କରି ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି। ଆବେଦନକାରୀମାନେ ଦର୍ଶାଇଛନ୍ତି ଯେ, ସିଜିମାଳି ଖଣି ପାଇଁ ରାସ୍ତା ନିର୍ମାଣକୁ ବିରୋଧ କରି ଆସୁଥିବା ଆଦିବାସୀମାନଙ୍କୁ ଦମନ କରିବା ପାଇଁ ଏହି ଘଟଣା ଘଟିଛି। ରାତି ପ୍ରାୟ ୩ଟା ସମୟରେ ପୁଲିସ ବଳପୂର୍ବକ ଗାଁରେ ପ୍ରବେଶ କରି ବିଦ୍ୟୁତ୍ ସରବରାହ କାଟି ଦେଇଥିଲା ଏବଂ ଘରର କବାଟ ଭାଙ୍ଗିଥିଲା। ଏହି ଆକ୍ରମଣରେ ପ୍ରାୟ ୭୦ ଜଣ ଆଦିବାସୀ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ଗୃହପାଳିତ ପଶୁଙ୍କ ମଧ୍ୟ ମୃତ୍ୟୁ ହୋଇଛି। ସେହିପରି ମାର୍ଚ୍ଚ ୧୦ ମଧ୍ୟରାତ୍ରିରେ ପୁଲିସ ୨୧ ଜଣ ଆଦିବାସୀଙ୍କୁ (୧୦ ଜଣ ମହିଳାଙ୍କ ସମେତ) ଗିରଫ କରିବା ସହ ଘରଦ୍ୱାର ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ତେଣୁ ହାଇକୋର୍ଟର ଜଣେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏହାର ନ୍ୟାୟିକ ତଦନ୍ତ କରିବାକୁ ଆବେଦନକାରୀମାନେ ପ୍ରାର୍ଥନା କରିବା ସହ ଆହତ ଓ କ୍ଷତିଗ୍ରସ୍ତ ପରିବାରଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ ଏବଂ ଦୋଷୀ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରାର୍ଥନା କରାଯାଇଛି। ଏହି ମାମଲାରେ ତିନିଟି ଅନ୍ତରୀଣ ଆବେଦନ ଦାଖଲ କରାଯାଇଛି।

Related Articles

Back to top button