ଓଡ଼ିଶାରାଜନୀତି

ବିଜେପିର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ: ମେ’ ୧ରୁ ସମସ୍ତ ୩୭ଟି ସାଂଗଠନିକ ଜିଲ୍ଲାରେ ଆରମ୍ଭ ହେବ ପ୍ରଶିକ୍ଷଣ ବର୍ଗ

ଭୁବନେଶ୍ୱର, ୨୮/୦୪/୨୦୨୬: ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କ ଶାରୀରିକ, ମାନସିକ, ବୌଦ୍ଧିକ ଏବଂ ରାଜନୈତିକ ବିକାଶ ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟରେ “ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬” ଅନ୍ତର୍ଗତ ପ୍ରଦେଶ ସ୍ତରୀୟ ଆଇଟି ଓ ପ୍ରଦର୍ଶନୀ ଟୋଲୀ ବୈଠକ ଅନୁଷ୍ଠିତ ହୋଇଯାଇଛି। “ପ୍ରଥମରେ ରାଷ୍ଟ୍ର, ଦ୍ୱିତୀୟରେ ସଂଗଠନ ଏବଂ ଶେଷରେ ବ୍ୟକ୍ତି” – ଏହି ମୂଳମନ୍ତ୍ରକୁ ପାଥେୟ କରି ଆୟୋଜିତ ଏହି ଯୋଜନା ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବ ଭାରତ ପ୍ରଶିକ୍ଷଣ ସଂଯୋଜକ ପ୍ରଫେସର ଦିନେଶାନନ୍ଦ ଗୋସ୍ୱାମୀ, ରାଜ୍ୟ ସଂଯୋଜକ ତଥା ସାଂସଦ ବଳଭଦ୍ର ମାଝୀ ଏବଂ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିଥିଲେ।

ଏହି ମହାଅଭିଯାନ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ, କାର୍ଯ୍ୟକର୍ତ୍ତାଙ୍କ ବ୍ୟକ୍ତିତ୍ୱ ବିକାଶରେ ପ୍ରଶିକ୍ଷଣ ଏକ ଅପରିହାର୍ଯ୍ୟ ଅଙ୍ଗ। ପାର୍ଟିର ସାଂଗଠନିକ କାର୍ଯ୍ୟରେ ସୋସିଆଲ ମିଡିଆ, ଆଇଟି ଏବଂ ପ୍ରଦର୍ଶନୀର ପ୍ରଭାବଶାଳୀ ଉପଯୋଗ କିପରି କରାଯିବ, ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି। ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଓଡ଼ିଶାର ୧୦୫୨ଟି ମଣ୍ଡଳରେ ପ୍ରଶିକ୍ଷଣ ବର୍ଗ ସଫଳତାର ସହ ସମାପ୍ତ ହୋଇସାରିଛି।

ଆସନ୍ତା ମେ’ ମାସ ୧ ତାରିଖଠାରୁ ପାର୍ଟିର ସମସ୍ତ ୩୭ଟି ସାଂଗଠନିକ ଜିଲ୍ଲାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ପରେ ସମସ୍ତ ୭ଟି ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ସମେତ ବିଧାୟକ ଓ ସାଂସଦମାନଙ୍କ ପାଇଁ ମଧ୍ୟ ପୃଥକ ଭାବେ ପ୍ରଶିକ୍ଷଣ ବର୍ଗ ଆୟୋଜନ କରାଯିବ। ଏହି ସମସ୍ତ କାର୍ଯ୍ୟକ୍ରମ ଯେପରି ନିର୍ଦ୍ଧାରିତ ସମୟ ମଧ୍ୟରେ ସୂଚାରୁ ରୂପେ ସମ୍ପନ୍ନ ହେବ, ସେଥିପାଇଁ ଆଜିର ବୈଠକରେ ଏକ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯାଇଛି।

Related Articles

Back to top button