ଓଡ଼ିଶାରାଜନୀତି

“ସରକାର ବୁଝନ୍ତି ଗୋଟେ, କରନ୍ତି ଗୋଟେ”: ଅରୁଣ ସାହୁ

ଭୁବନେଶ୍ୱର, ୨୪/୦୪/୨୦୨୬: ରାଜ୍ୟର ବିଜେପି ସରକାରଙ୍କୁ ସମାଲୋଚନା କରି ବରିଷ୍ଠ ବିଜେଡି ନେତା ଅରୁଣ ସାହୁ ଆଜି ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ସରକାରରେ ଦିଲ୍ଲୀରେ ମେଘ ଉଠିଲେ ଓଡ଼ିଶାରେ ବର୍ଷା ହେଉଛି। ଓଡ଼ିଆ ଅସ୍ମିତାର ପ୍ରତୀକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନରେ ପଞ୍ଚାୟତିରାଜ ଦିବସ ପାଳନ ନ କରି ସରକାର ନିଜର କି ପରିଚୟ ଦେବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ପଞ୍ଚାୟତିରାଜ ଦିବସର ଜାତୀୟ ସ୍ତରୀୟ ପାଳନକୁ ସ୍ୱାଗତ କରିବା ସହ ସେ କହିଛନ୍ତି ଯେ, ଯଦି ଅଗଷ୍ଟ ୧୫ ପାଳନ ହେଉଛି, ତେବେ ମାର୍ଚ୍ଚ ୫କୁ ପାଳନ କରିବାରେ ଅସୁବିଧା କେଉଁଠି? ସରକାରଙ୍କ କାର୍ଯ୍ୟକ୍ରମରେ ଲୋକ ନାହାନ୍ତି, କେବଳ ଖାଲି ଚେୟାର ଟେବୁଲକୁ ବିଜେପି ନେତାମାନେ ଭାଷଣ ଦେଉଛନ୍ତି। ଏହି କାର୍ଯ୍ୟକ୍ରମ ଦ୍ୱାରା କେବଳ ଟେଣ୍ଟ ମାଲିକମାନେ ହିଁ କିଛି ପଇସା ପାଉଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି।

ଆଇନ ମନ୍ତ୍ରୀଙ୍କ ତଥ୍ୟ ରଖିବା ପ୍ରସଙ୍ଗରେ ଶ୍ରୀ ସାହୁ କହିଛନ୍ତି ଯେ, କେବଳ କଥାରେ କହିଲେ ହେବନି, ଯଦି କିଛି ତଥ୍ୟ ଅଛି ତେବେ ସାର୍ବଜନୀନ କରନ୍ତୁ। ଲୋକଙ୍କୁ ବେଶୀ ଦିନ ବୋକା ବନାଇ ହେବନି। ମିଛର ଗତି ଦ୍ରୁତ ହୋଇଥିଲେ ମଧ୍ୟ ତାହା ଶୀଘ୍ର ଧରାପଡ଼ିଯାଏ, କିନ୍ତୁ ସତ ଆସିବାକୁ ସମୟ ଲାଗିଲେ ବି ତାହା ନିଶ୍ଚୟ ଆସିବ। ବିଜେପିକୁ ‘କଞ୍ଚା ମିଛ’ କହୁଥିବା ଦଳ ଭାବେ ଅଭିହିତ କରି ସେ ସତ୍ୟ ସ୍ୱୀକାର କରିବାକୁ ପରାମର୍ଶ ଦେଇଛନ୍ତି।

Related Articles

Back to top button