ଓଡ଼ିଶା

DG ଓ ମୁଖ୍ୟମନ୍ତ୍ରୀଙ୍କୁ ଖଣ୍ଡପଡ଼ା ପୀଡ଼ିତାଙ୍କ ଦାବି

ଖଣ୍ଡପଡ଼ା, ୨୪/୦୪/୨୦୨୬: ରାଜ୍ୟରେ ମହିଳା ସୁରକ୍ଷାକୁ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ଖଣ୍ଡପଡ଼ା ଅଞ୍ଚଳରୁ ଆସିଥିବା ଏକ ଭିଡିଓ ବାର୍ତ୍ତା ସାରା ଓଡ଼ିଶାକୁ ସ୍ତବ୍ଧ କରିଦେଇଛି। ଜଣେ ପୀଡ଼ିତା ମହିଳା ବିଗତ ୧୫ ଦିନ ଧରି ନ୍ୟାୟ ପାଇଁ ଦ୍ୱାର ଦ୍ୱାର ବୁଲି ନିରାଶ ହେବା ପରେ ଶେଷରେ ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି ନେବାକୁ ଚେତାବନୀ ଦେଇଛନ୍ତି।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, କେସ୍ ରେଜିଷ୍ଟ୍ରେସନ ହେବା ପରେ ମଧ୍ୟ ଅଭିଯୁକ୍ତମାନେ ଖୋଲାଖୋଲି ବୁଲୁଛନ୍ତି। ନ୍ୟାୟ ଦେବା ବଦଳରେ କିଛି ପୋଲିସ ଅଧିକାରୀ ତାଙ୍କୁ ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ସେ ଗୁରୁତର ଅଭିଯୋଗ ଆଣିଛନ୍ତି। “ନ୍ୟାୟ ପାଇଁ ସ୍ୱର ଉଠାଇବା କଣ ଭୁଲ୍? ମୋ ସ୍ୱରକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି,” ବୋଲି କୋହଭରା କଣ୍ଠରେ ପୀଡ଼ିତା ପ୍ରଶ୍ନ କରିଛନ୍ତି।

ଅତ୍ୟନ୍ତ ଦୁଃଖର ସହ ସେ କହିଛନ୍ତି ଯେ, ଯଦି ତାଙ୍କର କିଛି ଅଘଟଣ ଘଟେ, ତେବେ ତାଙ୍କ ସ୍ୱାମୀ ଓ ଛୁଆଙ୍କ ସୁରକ୍ଷା ପାଇଁ ସରକାର ଦାୟୀ ରହିବେ। ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ମହାନିର୍ଦ୍ଦେଶକ (DG)ଙ୍କୁ ଶେଷ ଅନୁରୋଧ କରି ସେ କହିଛନ୍ତି, “ମୁଁ ବଞ୍ଚିଥିବା ବେଳେ ଯଦି ସୁରକ୍ଷା ମିଳୁନି, ତେବେ ମଲା ପରେ ମୋ ପାଇଁ କେହି କ୍ୟାଣ୍ଡେଲ ଯାତ୍ରା କରିବା କିମ୍ବା ରାଜରାସ୍ତାକୁ ଓହ୍ଲାଇବା ଆବଶ୍ୟକ ନାହିଁ।”

ନିଜର ବେଦନା ପ୍ରକାଶ କରି ସେ ସାଧାରଣ ଜନତା ଓ ପ୍ରଶାସନିକ ଅଧିକାରୀଙ୍କୁ ପଚାରିଛନ୍ତି ଯେ, ଯଦି ଏହି ଘଟଣା ସେମାନଙ୍କ ନିଜ ଘରର ଝିଅ କିମ୍ବା ସ୍ତ୍ରୀଙ୍କ ସହ ଘଟିଥାନ୍ତା, ତେବେ ସେମାନେ କଣ ଏମିତି ଚୁପ୍ ବସିଥାନ୍ତେ? ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related Articles

Back to top button