ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ଏପ୍ରିଲ ୨୭ରୁ ସ୍କୁଲ ଛୁଟି


ଭୁବନେଶ୍ବର: ପ୍ରଚଣ୍ଡ ଖରାରେ ଜଳୁଛି ସାରା ରାଜ୍ୟ । ଏନେଇ ସରକାର ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ଆସନ୍ତା ଏପ୍ରିଲ 27 ତାରିଖରୁ ସମସ୍ତ ସ୍କୁଲ ବନ୍ଦ ରହିବ। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ଆସନ୍ତା ଏପ୍ରିଲ ୨୭ରୁ ବନ୍ଦ ରହିବ । ତେବେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା, ଜନଗଣନା କାର୍ଯ୍ୟ ଓ ଅନ୍ୟାନ୍ୟ ଅଫିସ କାମ ପୂର୍ବପରି ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘୋଷଣା ଅନୁଯାୟୀ ରାଜ୍ୟରେ ସମସ୍ତ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ରାଜ୍ୟରେ ବର୍ତ୍ତମାନ ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଖରାଛୁଟି ସମୟରେ ଅଙ୍ଗନବାଡି ପିଲାମାନଙ୍କୁ ସେମାନଙ୍କ ଘରେ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଅଙ୍ଗନବାଡି କେନ୍ଦ୍ରକର୍ମୀ ସୂଚନା ଦେଇଛନ୍ତି ।




