ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ଅନୁକୂଳ: ଆଜିଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା


ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା। ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଜିଠାରୁ ଶ୍ରୀକ୍ଷେତ୍ରରେ ରଥ ନିର୍ମାଣର ଶୁଭ ଅନୁକୂଳ ହେବ। ଏଥିପାଇଁ ପୁରୀ ରଥଖଳା ଚଳଚଞ୍ଚଳ ହୋଇଉଠିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରଥ ନିର୍ମାଣ ପାଇଁ ଆବଶ୍ୟକ ୩୨୬ ଖଣ୍ଡ କାଠ ସର୍ବମୋଟ ଭାବେ ରଥଖଳାରେ ପହଞ୍ଚି ସାରିଛି। ବନଯାଗ ବିଧି ଅନୁସାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଏବଂ ଶ୍ରୋତ୍ରୀୟ ବ୍ରାହ୍ମଣମାନେ ପୂଜାକାର୍ଯ୍ୟ ସମ୍ପାଦନ କରିବେ। ନୀତି ନିର୍ଘଣ୍ଟ ଅନୁସାରେ, ଅପରାହ୍ଣରେ ଶ୍ରୀଜିଉଙ୍କ ଆଜ୍ଞାମାଳ ସହ ଚନ୍ଦନ ଠାକୁର ପଟୁଆରରେ ରଥଖଳାକୁ ବିଜେ କରିବେ। ତିନି ଜଣ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ୩ଟି ଆଜ୍ଞାମାଳ ନେଇ ଆସିବେ। ଏହି ଶୁଭ ଅବସରରେ ମୁଖ୍ୟ ବିଶ୍ୱକର୍ମାଙ୍କ ସମେତ ରୂପକାର, କମାର, ଚିତ୍ରକର, ଭୋଇ ଓ ଅମୀନ ସେବକମାନେ ଉପସ୍ଥିତ ରହିବେ। ଅକ୍ଷୟ ତୃତୀୟାର ଅନ୍ୟ ଏକ ପ୍ରମୁଖ ପରମ୍ପରା ହେଉଛି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା। ଆଜିଠାରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ଦେବତା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣ ଓ ପଞ୍ଚୁପାଣ୍ଡବ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ଜଳକ୍ରୀଡ଼ା କରିବେ।




