Uncategorized

ବିଜୁଙ୍କ ତିରୋଧାନ ଦିବସରେ ବିଜୁ ଲିଗାସୀମାନଙ୍କ ମେଳି, ବିଜେଡି ପାଳିଲା ପ୍ରବାଦ ପୁରୁଷ ଦିବସ

ଭୁବନେଶ୍ୱର: ଏପ୍ରିଲ ୧୭ ତାରିଖ ବିଜୁ ବାବୁଙ୍କ ତିରୋଧାନ ଦିବସ। ଏହି ଦିନରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ବିଜୁ ଯେଉଁମାନେ ବିଜୁବାବୁଙ୍କୁ ଅତି ନିକଟରୁ ଦେଖିଛନ୍ତି ଓ ତାଙ୍କ ସହକର୍ମୀ ହୋଇ କାମ କରିବାର ସୁଯୋଗ ପାଇଛନ୍ତି ସେମାନେ ବିଜୁ ବାବୁଙ୍କ ଲିଗାସୀ ଭାବେ ଓଡ଼ିଶା ନାଗରିକ ମଞ୍ଚ ଗଠନ କରି ଭୁବନେଶ୍ୱର ଓଡ଼ିଶା କୃଷି ବିଶ୍ୱ ବିଦ୍ୟାଳୟ ଅଡିଠୋରିୟମ୍ ଠାରେ ଏକାଠି ହୋଇ ବିଜୁବାବୁଙ୍କ ଏକାନ୍ତ ଅନୁଗତ ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ସଭାପତିତ୍ୱରେ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରିଥିଲେ।

 

ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ବିଜୁ ଅନୁଗତମାନଙ୍କ ମେଳି ଆଗାମୀ ଦିନରେ ଏକ ହଟଚମଟ ସୃଷ୍ଟି କରିବ ବୋଲି ରାଜନୈତିକ ବିଶେଷକମାନେ ମତପୋଷଣ କରୁଛନ୍ତି। ଏହି ସଭାରେ ବିଜୁବାବୁଙ୍କ ମାନସ ସନ୍ତାନ ତଥା ନିର୍ବାଚିତ ରାଜ୍ୟସଭା ସଦସ୍ୟ ଦିଲ୍ଲୀପ ରାୟ ବିଜୁବାବୁଙ୍କ ସହିତ ବିତାଇଥିବା ଅନେକ ମୁହୂର୍ତ୍ତର ସ୍ମୃତି ଚାରଣ କରିବା ସହିତ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ କହିଥିଲେ ଯେ ଯେଉଁ ବିଜୁବାବୁଙ୍କ ନୀତି ଆଦର୍ଶକୁ ନେଇ ବିଜୁ ଜନତା ଦଳ ଗଢ଼ା ଯାଇଥିଲା, ଏବେ ସେ ଦଳ ବିଜୁବାବୁଙ୍କ ନାମ ନିଶାନକୁ ହଟାଇବାକୁ ୨୦୨୪ ନିର୍ବାଚନରେ ଯେଭଳି ପ୍ରୟାସ କରି ଦଳୀୟ ପୋଷ୍ଟର ଓ ବ୍ୟାନରରୁ ବିଜୁ ବାବୁଙ୍କ ଫଟୋକୁ କାଢ଼ି ଅଣଓଡ଼ିଆଙ୍କ ଫଟୋ ରଖାଗଲା ତାହାକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି।

ପୂର୍ବତନ ବିଧାୟକ ତଥା ସମ୍ବାଦର ପ୍ରତିଷ୍ଠାତା ସୌଭ୍ୟରଞ୍ଜନ ପଟ୍ଟନାୟକ ଆଜିର ଯୁବକମାନେ ବିଜୁ ବାବୁଙ୍କ ଭଳି ନିର୍ଭୀକ ଓ ସାହାସୀ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭାରେ ଅମର ଶତପଥୀ, ପ୍ରସନ୍ନ ପାଟ୍ଟଶାଣୀ, ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କଂଗ୍ରେସର ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ରାୟଗଡ଼ା ବିଜୁ ସ୍ୱାଭିମାନ ମଞ୍ଚର ସଭାପତି ଏମ୍‌.ଭାସ୍କର ରାଓ, ଫୁଲବାଣୀର ନେତା କମଳା ପାଣ୍ଡେ, ସଚ୍ଚିଦାନନ୍ଦ ଦଲାଲ, ପୂର୍ବତନ ଡି.ଜି ସଞ୍ଜୀବ ମାରିକ, ବିଜୁବାବୁଙ୍କ ଘନିଷ୍ଠ ପୂର୍ବତନ ଆଇଏଏସ ପ୍ରସନ୍ନ ମିଶ୍ର, ଓଡ଼ିଆ ଶିକ୍ଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ, ପୁରୀର ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା, ସାମ୍ବାଦିକ ରବି ଦାସ, ପ୍ରଦୋସ ପଟ୍ଟନାୟକ, କେନ୍ଦ୍ରାପଡ଼ା ବିଜୁ ଜନତା ଦଳର ପୂର୍ବତନ ଜିଲ୍ଲା ସଭାପତି ବିଜୟ କେତନ ସ୍ୱାଇଁ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ତିର୍ତ୍ତୋଲ ବିଧାୟକ ଯୋଗ ଦେଇଥିଲା ବେଳେ ବିଜୁବାବୁଙ୍କ ଅନ୍ୟତମ ସହକର୍ମୀ ପୂର୍ବତନ ସାଂସଦ ତଥା ବିଧାନସଭାର ପୂର୍ବତନ ମୁଖ୍ୟ ସଚେତକ ରବି ପାଣି ସମସ୍ତ ବିଜୁପ୍ରେମୀମାନଙ୍କୁ ବୈଠକରେ ଯୋଗ ଦେଇଥିବାରୁ ସାଧୁବାଦ ଜଣାଇଥିଲେ।

ବାଲିଆପାଳ ନେତା ବିକାଶ ଗିରି, ନୀଳଗିରି ନେତା ରବେଶ ବାରିକ, ବାଣୀବ୍ରତ ତ୍ରିପାଠୀ, ମାନସ ଦାସ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ସଭାରେ ସହଯୋଗ କରିଥିଲେ। ଅପର ପକ୍ଷରେ ବିଜୁବାବୁଙ୍କ ତିରୋଧାନ ଦିବସକୁ ବିଜୁ ଜନତା ଦଳ ଓଡ଼ିଶାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ପାଳନ କରିବା ସହିତ ଏହି ଦିନଟିକୁ ପ୍ରବାଦ ପୁରୁଷ ଦିବସ ଭାବେ ଅଭିହିତ କରି ପାଳନ କରିଛି।

Related Articles

Back to top button