ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର: ଆଜି ହେଉଛି ଓଡ଼ିଆ ଜାତିର ଅସ୍ମିତା ଓ ପରମ୍ପରାର ପର୍ବ ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଏହି ପବିତ୍ର ଦିନଠାରୁ ଓଡ଼ିଆ ନବବର୍ଷର ଶୁଭାରମ୍ଭ ସହ ନୂତନ ପଞ୍ଜିକାର ଚଳନ ହୋଇଥାଏ। ଘରେ ଘରେ ପଣା ଓ ଛତୁଆ ଭୋଗ ସାଙ୍ଗକୁ ହନୁମାନ ଜୟନ୍ତୀ ପାଳନ କରାଯାଇ ଓଡ଼ିଶାର ଏହି ମହାନ ପରମ୍ପରାକୁ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି।
ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା: ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ‘X’ ଜରିଆରେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଓଡ଼ିଶାର ସମୃଦ୍ଧ ସଂସ୍କୃତିକୁ ସେ ନିଜ ପୋଷ୍ଟରେ ପ୍ରଶଂସା କରିବା ସହ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା:
ପଣା ସଂକ୍ରାନ୍ତି ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ X ପୋଷ୍ଟରେ ଉଲ୍ଲେଖ କରି କହିଛନ୍ତି, “ଆମ ପରମ୍ପରାର ଗର୍ବ ଓ ଓଡ଼ିଆ ସ୍ୱାଭିମାନର ପର୍ବ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା । ଆସନ୍ତୁ, ଏହି ଶୁଭ ମୁହୂର୍ତ୍ତରେ ଆମ ଭାଷା, ସଂସ୍କୃତି ଏବଂ ସମୃଦ୍ଧ ଐତିହ୍ୟକୁ ଆଗକୁ ବଢ଼ାଇବା ପାଇଁ ବ୍ରତୀ ହେବା ।”



