ଓଡ଼ିଶାରାଜନୀତି

ଯାଜପୁରର ବିକାଶ ଓ ଆଇନ ଶୃଙ୍ଖଳାକୁ ନେଇ ନବୀନଙ୍କ ନିକଟରେ ଫେରାଦ ହେଲେ ବିଧାୟକ

ଭୁବନେଶ୍ୱର, ୦୭/୦୪/୨୦୨୬: ଯାଜପୁର ଜିଲ୍ଲାର ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଏବଂ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ଆଜି ଜିଲ୍ଲାର ବିଜେଡି ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ନବୀନ ନିବାସରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନୂତନ ସରକାର ଦାୟିତ୍ୱ ନେବା ପରେ ଯାଜପୁର ଜିଲ୍ଲାରେ ବିକାଶ କାର୍ଯ୍ୟ ଠପ୍ ହୋଇଯାଇଥିବା ଏବଂ ପଞ୍ଚାୟତ ଓ ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତାକୁ ବିଜେପି ସରକାର ସଙ୍କୁଚିତ କରିଦେଇଥିବା ନେଇ ନେତୃବୃନ୍ଦ ଶ୍ରୀ ପଟ୍ଟନାୟକଙ୍କୁ ଅବଗତ କରିଥିଲେ। ଏଥିସହିତ ଜିଲ୍ଲାରେ ବ୍ୟାପକ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିଥିବା ଏବଂ ମହିଳାମାନେ ଅସୁରକ୍ଷିତ ମଣୁଥିବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସାକ୍ଷାତକାର ସମୟରେ ବିଜେଡି ସୁପ୍ରିମୋ ସମସ୍ତ ନେତାଙ୍କୁ ପରାମର୍ଶ ଦେଇଛନ୍ତି ଯେ, ପରିସ୍ଥିତି ଯେତେ ପ୍ରତିକୂଳ ହେଲେ ମଧ୍ୟ ଲୋକଙ୍କ ସେବା ଜାରି ରଖିବା ଆବଶ୍ୟକ। ଜିଲ୍ଲାରେ ଦଳୀୟ ସାଙ୍ଗଠନିକ ସ୍ଥିତିକୁ ଆହୁରି ମଜବୁତ କରିବା ପାଇଁ ସେ ନେତାମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ପ୍ରତିନିଧି ଦଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ, ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ , ପ୍ରୀତିରଞ୍ଜନ ଘଡ଼େଇ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ଏବଂ ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଯାଜପୁର ଜିଲ୍ଲାରେ ବିଜେଡିର ଗଡ଼କୁ ଅଧିକ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କରିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି।

 

 

Related Articles

Back to top button