ପ୍ରବାସୀ ଶ୍ରମିକଙ୍କୁ ବଡ଼ ଆଶ୍ୱସ୍ତି: ଏବେ ମିଳିବ ଦୁଇଗୁଣା ଗ୍ୟାସ, ସରକାର ବଢ଼ାଇଲେ ୫ କେଜି ସିଲିଣ୍ଡର କୋଟା


ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ପ୍ରବାସୀ ଶ୍ରମିକଙ୍କୁ ବଣ୍ଟନ କରାଯାଉଥିବା ୫ କିଲୋଗ୍ରାମ ବିଶିଷ୍ଟ ମାଗଣା ବାଣିଜ୍ୟିକ ଏଲପିଜି (FTL) ସିଲିଣ୍ଡରର ଦୈନିକ କୋଟାକୁ ସରକାର ଦ୍ୱିଗୁଣିତ କରିଛନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁସାରେ, ଶ୍ରମିକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଯୋଗାଣ ପରିମାଣ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ଆବଣ୍ଟନ ସୀମା ୨୦ ପ୍ରତିଶତ ରହିଥିବା ବେଳେ ଏବେ ତାହାକୁ ଅତିକ୍ରମ କରି ଅଧିକ ସିଲିଣ୍ଡର ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏହି ଅତିରିକ୍ତ ୫ କିଲୋଗ୍ରାମ FTL ସିଲିଣ୍ଡରଗୁଡ଼ିକ ତୈଳ ବିପଣନ କମ୍ପାନୀ (OMC) ସହାୟତାରେ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ନାଗରିକ ଯୋଗାଣ ବିଭାଗ ଜରିଆରେ ପ୍ରବାସୀ ଶ୍ରମିକଙ୍କୁ ବଣ୍ଟନ କରାଯିବ। ଅନ୍ୟପଟେ ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ପର୍ଯ୍ୟାପ୍ତ ମହଜୁଦ ରହିଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସାଧାରଣ ଜନତା କୌଣସି ଗୁଜବରେ ବିଶ୍ୱାସ ନକରି କେବଳ ସରକାରୀ ସୂଚନା ଉପରେ ଭରସା ରଖିବାକୁ ପରାମର୍ଶ ଦିଆଯାଇଛି।




