ବୋଇତ ବନ୍ଦାଣରେ ନୂଆ ସଂକଳ୍ପ! କେନ୍ଦ୍ରାପଡ଼ାରେ ହେବ ଦେଶର ବୃହତ୍ ଜାହାଜ ନିର୍ମାଣ କେନ୍ଦ୍ର

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ଦିନେ ବୋଇତ ଧରି ସାତ ସମୁଦ୍ର ପାରି ଯାଉଥିଲେ ଓଡ଼ିଶାର ସାଧବ ପୁଅ। ବାଣିଜ୍ୟ କରି ବିଦେଶ ମାଟିରେ ଓଡ଼ିଶାର ଗୌରବ ବଢ଼ାଉଥିଲେ। ଆଜି ସେହି ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ଆଧୁନିକ ରୂପ ଦେବାକୁ ଯାଉଛି ଓଡ଼ିଶା। କାର୍ତ୍ତିକ ପୂର୍ଣ୍ଣିମା, ବୋଇତ ବନ୍ଦାଣ ଓ ବାଲିଯାତ୍ରାର ପବିତ୍ର ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାର ସାମୁଦ୍ରିକ ଐତିହ୍ୟକୁ ମନେ ପକାଇଛନ୍ତି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା।
ସେ କହିଛନ୍ତି, କାର୍ତ୍ତିକ ପୂର୍ଣ୍ଣିମାର ଭୋରରେ ଡଙ୍ଗା ଭସାଇବା ସମୟରେ ମନେ ପଡ଼ିଯାଆନ୍ତି ଆମ ସାଧବ ପୁଅ। ଯେଉଁମାନେ ଦିନେ ବଙ୍ଗୋପସାଗର ପାର ହୋଇ ବାଲି, ଜାଭା ଓ ସୁମାତ୍ରା ଭଳି ଦୂରଦେଶ ସହ ବାଣିଜ୍ୟିକ ସମ୍ପର୍କ ଗଢ଼ିଥିଲେ। କଟକର ବାଲିଯାତ୍ରା ହେଉଛି ସେହି ଗୌରବମୟ ଇତିହାସର ଜୀବନ୍ତ ସ୍ମୃତି।ଏବେ ସେହି ଐତିହ୍ୟକୁ ଆଧୁନିକ ଜାହାଜ ନିର୍ମାଣ ଶିଳ୍ପ ସହ ଯୋଡ଼ିବାର ସୁଯୋଗ ସୃଷ୍ଟି ହୋଇଛି। କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ଜାହାଜ ନିର୍ମାଣ କେନ୍ଦ୍ର ଓଡ଼ିଶାର ଅର୍ଥନୀତି ପାଇଁ ନୂଆ ସମ୍ଭାବନା ଆଣିବ ବୋଲି କହିଛନ୍ତି ଶ୍ରୀ ପଣ୍ଡା।
ତାଙ୍କ କହିବା ଅନୁସାରେ, ସମୁଦ୍ରପଥରେ ପଣ୍ୟ ପରିବହନ ପାଇଁ ଭାରତ ପ୍ରତିବର୍ଷ ବିଦେଶୀ ଜାହାଜ କମ୍ପାନୀଗୁଡ଼ିକୁ ପ୍ରାୟ ୬.୨୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରୁଛି। ଏହା ଭାରତୀୟ ଜାହାଜ ନିର୍ମାତାଙ୍କ ପାଇଁ ଏକ ବଡ଼ ବଜାରର ସମ୍ଭାବନା ଦେଖାଉଛି। ୨୦୨୫ରେ ବିଶ୍ୱରେ ୭୭୨.୮୦ ଲକ୍ଷ ଗ୍ରସ୍ ଟନେଜ୍ କ୍ଷମତାର ବାଣିଜ୍ୟିକ ଜାହାଜ ନିର୍ମାଣ ହୋଇଥିବା ବେଳେ ଭାରତର ଅବଦାନ ଥିଲା ମାତ୍ର ୫୭ ହଜାର ୬୩୭ ଜିଟି। ଚୀନ୍, ଦକ୍ଷିଣ କୋରିଆ ଓ ଜାପାନର ମିଳିତ ଅଂଶ ୯୪.୨ ପ୍ରତିଶତ ରହିଥିବା ବେଳେ ଭାରତର ଅଂଶ ଥିଲା ମାତ୍ର ୦.୦୭୫ ପ୍ରତିଶତ।
ସତ୍ୟବ୍ରତ ପଣ୍ଡାଙ୍କ ସୂଚନା ଅନୁସାରେ, ଅଗଷ୍ଟ ୧୦ ତାରିଖରେ ଏହି ପ୍ରକଳ୍ପକୁ ନୀତିଗତ ଅନୁମୋଦନ ମିଳିଛି। ଏବେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ପାଇଁ ପଦକ୍ଷେପ ନିଆଯାଉଛି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ୬୯ ହଜାର ୭୨୫ କୋଟି ଟଙ୍କାର ସାମୁଦ୍ରିକ ପ୍ୟାକେଜ୍ ଜାହାଜ ନିର୍ମାଣ କ୍ଷେତ୍ରକୁ ନୂଆ ଗତି ଦେବ ବୋଲି ସେ କହିଛନ୍ତି। ଏହି ପ୍ୟାକେଜ୍ରେ ଜାହାଜ ନିର୍ମାଣ ସହାୟତା, ସାମୁଦ୍ରିକ ବିକାଶ ପାଣ୍ଠି ଓ ନିର୍ମାଣ କ୍ଷମତା ବୃଦ୍ଧି ପାଇଁ ଅର୍ଥ ବ୍ୟବସ୍ଥା ରହିଛି।
ଏହି ପ୍ରକଳ୍ପ ସଫଳ ହେଲେ ରାଉରକେଲାର ଇସ୍ପାତ, ପାରାଦୀପର ବନ୍ଦର ସୁବିଧା ଓ କେନ୍ଦ୍ରାପଡ଼ାର ଜାହାଜ ନିର୍ମାଣ କେନ୍ଦ୍ର ମିଶି ଓଡ଼ିଶାରେ ଏକ ନୂଆ ଶିଳ୍ପ ଶୃଙ୍ଖଳ ସୃଷ୍ଟି କରିପାରିବ। ଏହାଦ୍ୱାରା ଜାହାଜ ମରାମତି, ଯନ୍ତ୍ରାଂଶ ଯୋଗାଣ ଓ ଅନ୍ୟାନ୍ୟ ସହାୟକ ଶିଳ୍ପରେ କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ସୁଯୋଗ ସୃଷ୍ଟି ହେବା ସହ ଓଡ଼ିଆ ଯୁବକ ଯୁବତୀଙ୍କ ପାଇଁ ରୋଜଗାରର ନୂଆ ବାଟ ଖୋଲିବ ବୋଲି ଆଶା ପ୍ରକାଶ କରିଛନ୍ତି ଶ୍ରୀ ପଣ୍ଡା।




