ଓଡ଼ିଶା

ପ୍ରତିଭାରେ ମନ ଜିଣିଲେ ଦିବ୍ୟାଙ୍ଗ ଶିଶୁ, ଅଭୀଷ୍ଟ ଟ୍ରଷ୍ଟର ନିଆରା ପ୍ରୟାସ

ପ୍ରତିଭା କେବେ ବି ଶାରୀରିକ କିମ୍ବା ବୌଦ୍ଧିକ ସୀମାବଦ୍ଧତା ଦେଖି ଆସେ ନାହିଁ। ଆବଶ୍ୟକ କେବଳ ଗୋଟିଏ ସୁଯୋଗ, ଟିକିଏ ଉତ୍ସାହ ଆଉ ଭଲ ପାଇବା। କାହାର ହାତରେ ତୂଳୀ, ତ କାହାର ପାଦରେ ନୃତ୍ୟର ତାଳ। ଆଉ କିଏ ସଙ୍ଗୀତର ସୁରରେ ମନ ମୋହୁଛି। ନିଜର ଅନ୍ତର୍ନିହିତ ପ୍ରତିଭାକୁ ମଞ୍ଚରେ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣିଛନ୍ତି ଦିବ୍ୟାଙ୍ଗ ଶିଶୁ ଓ କିଶୋର।ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆୟୋଜିତ ହୋଇଛି ଏକ ନିଆରା କାର୍ଯ୍ୟକ୍ରମ। ଅଭୀଷ୍ଟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଛି ସମାବେଶୀ ପ୍ରତିଭା ସମାରୋହ।

ଏହି କାର୍ଯ୍ୟକ୍ରମରେ ୪୦ରୁ ଊର୍ଦ୍ଧ୍ୱ ବୌଦ୍ଧିକ ଅନଗ୍ରସର ଶିଶୁ ଓ କିଶୋର ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ନୃତ୍ୟ, ସଙ୍ଗୀତ, ବାଦ୍ୟଯନ୍ତ୍ର ବାଦନ, ଯୋଗ ଓ ଚିତ୍ରାଙ୍କନ ଭଳି ବିଭିନ୍ନ କଳା ମାଧ୍ୟମରେ ନିଜର ଦକ୍ଷତା ଦେଖାଇଥିଲେ ଏହି ପ୍ରତିଭାବାନ ଶିଶୁମାନେ।ସେମାନଙ୍କର ଚମତ୍କାର ପ୍ରଦର୍ଶନ ଦେଖି ଉପସ୍ଥିତ ଦର୍ଶକମାନେ ମନ୍ତ୍ରମୁଗ୍ଧ ହୋଇଥିଲେ। କେବଳ ଏକ ପ୍ରତିଭା ପ୍ରଦର୍ଶନ ନୁହେଁ, ବରଂ ସମାଜକୁ ସମାନତା ଓ ସମାବେଶିତାର ଏକ ବଡ଼ ବାର୍ତ୍ତା ଦେଇଛି ଏହି ଆୟୋଜନ।

ଏହି ଅବସରରେ ଦିବ୍ୟାଙ୍ଗ ଶିଶୁମାନଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଭବିଷ୍ୟତକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସେମାନଙ୍କ ପାଇଁ ଧନ୍ଦାମୂଳକ ଶିକ୍ଷା ଓ ଦକ୍ଷତା ବିକାଶ ପ୍ରଶିକ୍ଷଣର ସୁଯୋଗ ସୃଷ୍ଟି କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।ଏହା ସହିତ ଦିବ୍ୟାଙ୍ଗଙ୍କ ପାଇଁ ଏକ ସହଯୋଗପୂର୍ଣ୍ଣ ଓ ଅନୁକୂଳ ପରିବେଶ ସୃଷ୍ଟି କରିବା ଉପରେ ଜୋର୍ ଦିଆଯାଇଥିଲା।କାରଣ ସେମାନଙ୍କ ଜୀବନରେ କେବଳ ଆଜିର ଯତ୍ନ ନୁହେଁ, ଭବିଷ୍ୟତର ସୁରକ୍ଷା ଓ ଅଭିଭାବକଙ୍କ ଅନୁପସ୍ଥିତିରେ ଦାୟିତ୍ୱ ନେବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ରହିଛି।

ଏହି ମହତ୍ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଏହା ସହିତ ଏକାମ୍ର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ଏମ୍ସର ମାନସିକ ରୋଗ ଚିକିତ୍ସା ବିଭାଗର ମୁଖ୍ୟ ଡା. ବିଶ୍ୱ ରଞ୍ଜନ ମିଶ୍ର, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଚନ୍ଦନା ଦାସଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମିହିର ସାହୁ, ଚଳଚ୍ଚିତ୍ର ନିର୍ମାତା ବିୟତ ପ୍ରଜ୍ଞା ତ୍ରିପାଠୀ, ସମାଜସେବୀ ରୋଜାଲିନ ପାଟ୍ଟଶାଣୀ ମିଶ୍ର, ଲେଖକ ଡା. ଏସ୍. ରବି କୁମାର ଓ ୱଣ୍ଡର ୱାର୍ଲଡ ୱାଟର ପାର୍କର ନିର୍ଦ୍ଦେଶିକା ରଶ୍ମିତା ପୃଷ୍ଟି ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Related Articles

Back to top button