ଓଡ଼ିଶାସ୍ୱାସ୍ଥ୍ୟ

ଉତ୍କଳ ବିଶ୍ୱବିଦ୍ୟାଳୟରେ ଜଣ୍ଡିସ୍ ଭୟ!

ଏବେ ଜଣ୍ଡିସ୍ ଆତଙ୍କରେ ଉତ୍କଳ ବିଶ୍ୱବିଦ୍ୟାଳୟ। ହଷ୍ଟେଲ ନମ୍ବର ୬ ଓ ୭ରେ ଜଣ୍ଡିସ୍ ବ୍ୟାପିବା ଖବରକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଛନକା। ସ୍ଥିତି ଏମିତି ଯେ, ହଷ୍ଟେଲରେ ରହିବାକୁ ଭୟ କରୁଛନ୍ତି ଛାତ୍ରୀ। କିଏ ହଷ୍ଟେଲ ଛାଡ଼ି ଘରକୁ ଯାଉଛନ୍ତି ତ ଆଉ କିଏ ପିଇବା ପାଇଁ ବାହାରୁ ପାଣି ବୋତଲ କିଣୁଛନ୍ତି। ସୂଚନା ଅନୁସାରେ, ଉତ୍କଳ ବିଶ୍ୱବିଦ୍ୟାଳୟର ଲେଡିଜ୍ ହଷ୍ଟେଲ ନମ୍ବର ୬ ଓ ୭ରେ ଜଣ୍ଡିସ୍ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି।

ହଷ୍ଟେଲରେ ରହୁଥିବା କିଛି ଛାତ୍ରୀ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିବା ଖବର ପରେ ଅନ୍ୟ ଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସଂକ୍ରମଣର କାରଣ କ’ଣ, ତାହା ଜାଣିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଗତକାଲି ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି। ଏହା ସହିତ ହଷ୍ଟେଲରେ ବ୍ୟବହାର ହେଉଥିବା ପିଇବା ପାଣିର ନମୁନା ମଧ୍ୟ ଟେଷ୍ଟିଂ ପାଇଁ ନିଆଯାଇଛି।

ତେବେ ପାଣି ଯୋଗୁଁ ଏହି ସଂକ୍ରମଣ ବ୍ୟାପିଛି ନା ଅନ୍ୟ କୌଣସି କାରଣ ରହିଛି, ତାହା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ। ଅନ୍ୟପଟେ ହଷ୍ଟେଲର ପରିସ୍ଥିତିକୁ ନେଇ ଛାତ୍ରୀମାନେ ଚିନ୍ତା ପ୍ରକାଶ କରିଛନ୍ତି।ପିଇବା ପାଣିକୁ ନେଇ ଭରସା କରିପାରୁନାହାନ୍ତି ଛାତ୍ରୀ। ଫଳରେ ହଷ୍ଟେଲର ପାଣି ବ୍ୟବହାର ନକରି ବାହାରୁ ପାଣି ବୋତଲ କିଣି ପିଉଛନ୍ତି। ଏପରିକି ହଷ୍ଟେଲରେ ଖାଦ୍ୟପେୟକୁ ନେଇ ମଧ୍ୟ ଅସନ୍ତୋଷ ରହିଛି। ବାହାର ଖାଦ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ସଂକ୍ରମଣକୁ ନେଇ ଆହୁରି ଚିନ୍ତା ବଢ଼ିଛି।

Related Articles

Back to top button